ଜ୍ୟୋତିରଂଜନ ଧର/ କଣିହାଁ: ପଂଚାୟତ ରାସ୍ତାରେ ୨୪ଘଣ୍ଟିଆ ପାଉଁଶ ଟ୍ରକ୍ ପାର୍କିଂ, ଟ୍ରକ ଚଳାଚଳକୁ ବିରୋଧ ଓ ବିଭିନ୍ନ ଦାବିନେଇ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକସ୍ଥ ଟୋଲକବେଡା ଗ୍ରାମବାସୀଙ୍କ ପକ୍ଷରୁ ସୋମବାର ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ଏନଟିପିସି ଟାଉନ ଥାନା ଅଧୀନସ୍ଥ ଏନ୍ଟିପିସି ପ୍ରକଳ୍ପ ଶକ୍ତି ଗେଟ୍ ସମ୍ମୁଖ ରାସ୍ତା କଡରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ସକାଳ ୭ଟାରୁ ଗୋଟାଏ ପର୍ଯ୍ୟନ୍ତ ୬ଘଂଟା ଧରି ଧାରଣା ଚାଲିଥିଲା । ଧାରଣାରେ ଟୋଲକବେଡା ଗ୍ରାମର ପୁରୁଷ / ମହିଳା ମାନେ ସାମିଲ ଥିଲେ । ଖବର ପାଇ ଏନଟିପିସି ଟାଉନ ଥାନା ଆଇଆଇସି ଦୀପିକା ଦେବୀ ରାଓ ଓ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଧାରଣସ୍ଥଳରେ ପହଁଚିଥିଲେ । କଣିହାଁ ତହସିଲଦାରଙ୍କ ପ୍ରକୋଷ୍ଠରେ ଏକ ତ୍ରିପାକ୍ଷିକ ସମାଧାନୀ ବୈଠକ ଆଜି ପୂର୍ବାହ୍ନରେ ବସିଥିଲା । ପାନୀୟ ଜଳ, ରାସ୍ତା ଓ କଲଭଟ ମରାମତି, ରାସ୍ତାରେ ପାଣି ସଂଚନ ଆଦି ପୂରଣ ନେଇ ପ୍ରତିଶୃତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
କଣିହାଁ ତହସିଲଦାର ପତିତପାବନ ଦେବତାଙ୍କ ଅଧକ୍ଷତାରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଅତିରିକ୍ତ ତହସିଲଦାର ରବିନ୍ଦ୍ର କୁମାର ସାମଲ, କଣିହାଁ ସରପଂଚ ଅଧିକାରୀଣୀ, ଶ୍ରମିକ ନେତା ପ୍ରହ୍ଲାଦ ଚନ୍ଦ୍ର ସାହୁ, ଆଇଆଇସି ଦୀପିକା ଦେବୀ ରାଓ, ଗ୍ରାମ୍ୟ କମିଟି ସଭାପତି ସହଦେବ ସାହୁ, ସମ୍ପାଦକ ମାନସ ରଂଜନ ସାହୁ, ଏନଟିପିସି ପ୍ରକଳ୍ପ ମାନବ ସମ୍ବଳ ଅଧିକାରୀ ଗଣ ଓ ପାୱାର ଗ୍ରୀଡ କମ୍ପାନୀର ଅଧିକାରୀ ପ୍ରମୁଖ ବୈଠକରେ ସାମିଲ ହୋଇଥିଲେ । ଅଣ ଓସାରିଆ ପଂଚାୟତ ରାସ୍ତାକୁ ଚଉଡା କରିବା, କୁନିକୁନି ଶିଶୁ ଓ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ଛାଡିବା ପାଇଁ କମ୍ପାନୀ ପକ୍ଷରୁ ଗାଡିର ବ୍ୟବସ୍ଥା କରିବା, ରାସ୍ତାରେ ପାଣି ସିଂଚନ କରିବା, ରାସ୍ତା ମରାମତି, ପାନୀୟ ଜଳ ସମସ୍ୟା, ଏନଟିପିସି ଓ ପିଜିସିଆଏଲ୍ ପକ୍ଷରୁ ରାସ୍ତା ପାଶ୍ୱର୍ରେ ଲାଗିଥିବା ଲାଇଟ ମରାମତି ପାଇଁ ପ୍ରତିଶୃତି ମିଳିଥିଲା । ସ୍ଥାନୀୟ ଅଂଚଳର ବେକାରୀ ଯୁବକ ମାନଙ୍କୁ ଆଶ୍ କାର୍ଯ୍ୟରେ କ୍ଷତିଗ୍ରସ୍ତ ହେଉଥିବା ୧୦ଟି ଗ୍ରାମର ୨୦ଜଣକୁ ନିୟୋଜିତ କରିବା ଓ ପଂଚାୟତ ରାସ୍ତାକୁ ପ୍ରତି ପାଶ୍ୱର୍ରୁ ୩ଫୁଟ୍ ଲେଖାଏଁ ସଂପ୍ରସାରଣ କରିବା ପାଇଁ ବିଧାୟକ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଥିବା ପ୍ରକାଶ ।