ଓଡିଶା

ସ୍ନାନ ଯାତ୍ରା, ଘୋଷଯାତ୍ରା ସୁରୁଖୁରୁରେ କରିବାକୁ ସହଯୋଗ ଲୋଡିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ସ୍ନାନ ଯାତ୍ରା ଓ ଘୋଷଯାତ୍ରାକୁ ସୁରୁଖୁରୁରେ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଏଥିନେଇ ଘନଘନ ବୈଠକ କରୁଛନ୍ତି । ଅଧିକାରୀ ତଥା ଶ୍ରୀମନ୍ଦିର ନିଯୋଗ, ସେବାୟତ, ଠାକୁର ରାଜା, ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ରିତିମତ ସମ୍ପର୍କ ସ୍ଥାପନ କରି ଉଭୟ ସ୍ନାନ ଯାତ୍ରା ଓ ଘୋଷଯାତ୍ରାକୁ ରୀତିନୀତି ମଧ୍ୟରେ ସଫଳ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ପୁରୀରେ କରୋନା ସଂକ୍ରମଣ ଆଉ ଯେମିତି ବୃଦ୍ଧି ନ ପାଏ ସେଥିପାଇଁ ପୁରୀବାସୀଙ୍କ ସହଯୋଗ କାମନା କରିଛନ୍ତି ଡ କୁମାର । ସ୍ନାନଯାତ୍ରା ଠାରୁ ନୀଳାଦ୍ରୀବିଜେ ପର୍ଯ୍ୟନ୍ତ ଶ୍ରୀଜୀଉମାନଙ୍କ ସମସ୍ତ କାର୍ଯ୍ୟ ଯେମିତି ବିନା ପ୍ରତିବନ୍ଧକରେ ସମ୍ପନ୍ନ ହେବ ସେଥିପାଇଁ ପୁରୀବାସୀଙ୍କ ସହଯୋଗ ଲୋଡିଛନ୍ତି । ଏସମ୍ପର୍କରେ ଡକ୍ଟର କୁମାର କହିଛନ୍ତି, ଶ୍ରୀଜଗନ୍ନାଥଙ୍କ ମୂଳପୀଠର କିଭଳି ବିଧି ରକ୍ଷାହେବ ସେଥିପାଇଁ ସମସ୍ତେ ସହଯୋଗ କରିବା ଆବଶ୍ୟକ ।


ରଥ ନିର୍ମାଣରେ ନିୟୋଜିତ ସମସ୍ତ ମହାରଣା, ଭୋଇ ଓ ରୂପକାର, ଅନ୍ୟ ସେବକମାନଙ୍କ କିଭଳି ଦିନରାତି କାର୍ଯ୍ୟ କରୁଛନ୍ତି ତାହାକୁ ପ୍ରଶଂସା କରିଛନ୍ତି । ସେମାନଙ୍କ ତ୍ୟାଗ ଯୋଗୁଁ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଆଗେଇ ଚାଲିଥିବା ସେ ସୂଚନା ଦେଇଛନ୍ତି । ଗତକାଲି ଗରଗରା ଖାପ କାମ ପରେ ପାଞ୍ଚ ଦଣ୍ଡା ଉପରେ ଫିଟିଙ୍ଗ କରାଯାଇ ପୋଲ ଗୟଳ ଲଗାଯାଇଛି । ଭୂଇଁ ଚଉଡା କାଠରେ ସାଲ ସହ ବିନ୍ଧ କାମ ସରିଥିବାବେଳେ ନାଗ ଗୋଡରେ ରୂପକାର ସେବକମାନେ ରାହୁ ରୂପ ଖୋଦେଇ କାମ ଜାରି ରଖିଛନ୍ତି । ଛନ୍ଦା ଗୟଳ ଚଉପଟ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୧୪ ନାହାକା କାଠରେ ଚାରି କଣ ଅଂଶ ମରା କାମ ସରିଛି । ଚାରି ନାହାକାକୁ ବାନ୍ଧି ରଖିବାପାଇଁ ‘ଢମକ’ ପ୍ରସ୍ତୁତ ଚାଲିଛି । ଓଝା ସେବକମାନେ ଗୟଳ ଲଗାଇବା ପାଇଁ ଆବଶ୍ୟକ ମତେ ଗୟଳକଣ୍ଟା ରଥ ଖଳାକୁ ଯୋଗାଇବା ସହ ପୋଟଳ କଣ୍ଟା ପ୍ରସ୍ତୁତ ସରିଛି।

Related posts

ଶ୍ରୀମନ୍ଦିର ରତ୍ନସିଂହାସନରେ ବିରାଜିତ ଦାରୁବ୍ରହ୍ମରୂପୀ ଚତୁର୍ଦ୍ଧା ବିଗ୍ରହଙ୍କର ପୁଷ୍ପ ବେଶ

mahabharatanews

ଓଡ଼ିଶାରେ ଚାଲିଛି ନକଲି ବନ୍ଧୁକ କାରବାର

mahabharatanews

 ଦୁର୍ବଳ ହେଉଛି କରୋନା: ରାଜ୍ୟରେ ୨୪ ଘଣ୍ଟାରେ ୧୬୧୭ ସଂକ୍ରମିତ ଚିହ୍ନଟ

mahabharatanews