(ମହାଭାରତ, ସୋନପୁର): ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରସବ ପାଇଁ ଆସିଥିବା ମହିଳାଙ୍କ ସ୍ୱାମୀଙ୍କୁ ଲାଞ୍ଚ ମାଗି ଜଣେ ନର୍ସ ଚାକିରୀରୁ ନିଲମ୍ବିତ ହୋଇଥିବା ବେଳେ ସୁଇପର ବହିଷ୍କୃତ ହୋଇଛନ୍ତି । ଜିଲ୍ଲାପାଳ ମନୀଷା ବାନାର୍ଜୀ ହସ୍ପିଟାଲ କର୍ମଚାରୀଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ସୂଚନା ଅନୁଯାୟୀ, ବୌଦ୍ଧ ଅଞ୍ଚଳର ରମେଶ ବାଘଙ୍କ ପତ୍ନୀ ପ୍ରସବ ପାଇଁ ଗତ ଶନିବାର ହସ୍ପିଟାଲକୁ ଆସିଥିଲେ । କିନ୍ତୁ ହସ୍ପିଟାଲ ଗେଟ୍ ପାଖରେ ହିଁ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ମହିଳାଙ୍କ ସ୍ୱାମୀ ହସ୍ପିଟାଲ କର୍ମଚାରୀଙ୍କୁ ଡାକି ମାଆ ଓ ଛୁଆଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ପରେ ମହିଳାଙ୍କ ସ୍ୱାମୀଙ୍କୁ ୨ ଜଣ ଷ୍ଟାଫ ନର୍ସ ୧ ହଜାର ଟଙ୍କା ମାଗିଥିଲେ । ଏଥିରେ ଜଣେ ସୁଇପର ମଧ୍ୟ ସାମିଲ ଥିଲେ । ତେବେ ପାଖରେ ଟଙ୍କା ନଥିବାରୁ ରମେଶ ସେମାନେଙ୍କୁ ମାତ୍ର ୫ଶହ ଟଙ୍କା ଦେବା ସହ ବାକି ଟଙ୍କା ଛେଳି ବିକ୍ରୀ କରି ଦେବେ ବୋଲି କହିଥିଲେ ।
ଏହି ଘଟଣାର ଭିଡିଓ ଏକ ମୋବାଇଲରେ ରେକର୍ଡିଂ ହୋଇ ଭାଇରାଲ ହୋଇଥିଲା । ଏହାପରେ ଗତ ରବିବାର ସୁବର୍ଣ୍ଣପୁର ଜିଲ୍ଲାପାଳ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ପରେ ଘଟଣାର ସତ୍ୟତା ଜାଣିବା ପରେ ପ୍ରସବ ପାଇଁ ଲାଞ୍ଚ ମାଗିବାରେ ସାମିଲ ଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।