(ଓମପ୍ରକାଶ ମିଶ୍ର/ସୋନପୁର): ୨୦୧୯ ମସିହା ଅଗଷ୍ଟ ୧୩ ତାରିଖ । ସୋନପୁର ଜିଲ୍ଲା ତରଭା ବ୍ଲକ ନର୍ଡା ଗାଁକୁ ହଠାତ ମାଡି ଆସିଥିଲା ନିବୃତି ନଦୀର ପାଣି । ଚାହୁଁ ଚାହୁଁ ସାରା ଗାଁ ରହିଯାଇଥିଲା ନିବୃତିର ଆଁ ଭିତରେ । ନଦୀର ବନ୍ୟା ପାଣି ଏତେ ପ୍ରଖର ଥିଲା ଯେ ଗାଁ ଲୋକେ କୁଆଡେ ଯାଇ ପାରିନଥିଲେ । ଦୀର୍ଘ ସମୟର ପରିଶ୍ରମ ପରେ ପଡୋଶୀ ଗାଁର ଲୋକେ ସେମାନଙ୍କୁ ଉଦ୍ଧାର କରି ବନ୍ୟା ଆଶ୍ରୟସ୍ଥଳୀକୁ ନେଇଥିଲେ । ବନ୍ୟା ଛାଡିବାର ସପ୍ତାହେ ପରେ ଘରକୁ ଫେରି ନିଜ ନିଜ ଘର ସଜାଡିଥିଲେ ଗାଁ ଲୋକେ । ପରେ ପରେ ପ୍ରଶାସନିକ ଅଧିକାରୀମାନେ ଆସି କ୍ଷୟକ୍ଷତିର ଆକଳନ କରି କ୍ଷତିପୁରଣ ଯୋଗାଇ ଦେବାର ପ୍ରତିଶୃତି ବି ଦେଇଥିଲେ । ଏବେ ବନ୍ୟାକୁ ବର୍ଷେ ପୁରିବାକୁ ଯାଉଥିବା ବେଳେ ନର୍ଡା ଗାଁର ଲୋକେ ଅଣ୍ଟା ସଳଖି ଠିଆ ହୋଇପାରିନାହାନ୍ତି । ଘରଦ୍ୱାର ଧୋଇଗଲା ପରେ ଆଜିବି ଗାଁର ଅନେକ ଲୋକ ତାରପୋଲିନ ତଳେ ଜୀବନ କାଟୁଛନ୍ତି । ଏନେଇ ପ୍ରଶାସନକୁ ବାରମ୍ବାର ଗୁହାରୀ ପରେ ବି କେହି ଶୁଣିନଥିବା ନର୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବନ୍ୟା ପରେ ସରକାରୀ ବାବୁଙ୍କଠୁ ଆରମ୍ଭ କରି ଲୋକ ପ୍ରତିନିଧି ସମସ୍ତେ ଗାଁ ପରିଦର୍ଶନରେ ଆସିଛନ୍ତି । କିନ୍ତୁ ବଦଳି ନାହିଁ ଗାଁର ଚିତ୍ର । ଆଜି ବି ଅସଜଡା ଭଙ୍ଗା ଘରେ, ପଲିଥିନ ତଳେ ଜୀବନ କାଟୁଛନ୍ତି ବନ୍ୟା ବିପନ୍ନମାନେ । ଗତବର୍ଷ ବନ୍ୟାର ଛାପ ମନରୁ ଲିଭି ନଥିବା ବେଳେ ଏବେ ପୁଣି ଆସିଯାଇଛି ବର୍ଷାଦିନ । ବିନା ସରକାରୀ ସହାୟତାରେ ନର୍ଡା ଗ୍ରାମବାସୀ ଭୟ ଓ ଆଶଙ୍କାରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ତେବେ ବର୍ଷା ଦିନେ ତାରପୋଲିନ ତଳେ ରହିବା ଭାରି କଷ୍ଟକର ହେଉଥିବାରୁ ସରକାରୀ ସହାୟତା ଯୋଗଇଦେବାକୁ ଦାବୀ ହୋଇଛି । ସେପଟେ ନର୍ଡା ଗ୍ରାମର ବନ୍ୟା ବିପନ୍ନ ଲୋକ ମାନଙ୍କ ଅତି ଶୀଘ୍ର ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ନିତି ରଞ୍ଜନ ସେନ କହିଛନ୍ତି ।
previous post
