(ସୁନ୍ଦର କୁମାର ପାଣି/କୋରାପୁଟ): ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ କୁସୁମଗୁଡ଼ା ଗ୍ରାମ ନିକଟରେ ଥିବା ପୋଲ ପାଖରେ ବୁଧବାର ଦିନ ବାଇକରୁ ପଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ସୋରିଷପଦର ଗ୍ରାମର ଗୁପ୍ତ ଜାମ୍ବେକା ।
ସୂଚନାନୁଯାୟୀ ଗୁପ୍ତ ଓ ତାଙ୍କର ଦୁଇ ସାଙ୍କଏକ ମଟର ସାଇକେଲ ଯୋଗେ କୌଣସି କାମରେ କାକିରିଗୁମ୍ମା ଯାଇଥିଳେ । ଫେରୁଥିବା ବେଳେ ୩୨୬ ନମ୍ବର ଜାତୀୟ ରାଜପଥ ନିକଟରେ ତାଙ୍କ ଏକ ମାଲବାହି ଟ୍ରକ ପଛପଟୁ ହର୍ଣ୍ଣ ମାରିଥିଲା । ଏଥିରେ ଗୁପ୍ତ ହଡବଡେଇ ହୋଇ ଭାରସାମ୍ୟ ହରାଇ ଗାଡିରୁ ଛିଟିକି ପଡିଥିଲେ । ଫଳରେ ତାଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଗୁପ୍ତଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ପ୍ରଥମେ ଲକ୍ଷ୍ମୀପୁର ଡାକ୍ତଖାନା ନେଇଥିଲେ । ସେଠାରେ ତାଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ କୋରାପୁଟ ସହୀଦ ଲକ୍ଷଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ଏନେଇ ଖବର ପାଇ ଲକ୍ଷ୍ମୀପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ୩୨୬ ନମ୍ବର ଜାତୀୟ ରାଜପଥ ଦେଇ ପ୍ରାୟ ୨୮ କିଲୋମିଟର କାକିରିଗୁମ୍ମା ରେଳୱ ଷ୍ଟେସନକୁ କୋଡ଼ିଙ୍ଗାମାଳି ମାଲ ପରିବହନ କରୁଥିବାରୁ ଉକ୍ତ ରାସ୍ତାରେ ନିତିଦିନିଆ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି । ଯଥାଶୀଘ୍ର ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଉଚିତ ପଦକ୍ଷେ ନେଲେ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟିବାରୁ ବଞ୍ଚିତ ହେବେ ।
