ଓଡିଶା

ବାଣ ବିକ୍ରି ଓ ଫୁଟାଇବା ଉପରେ ନିଷେଦ୍ଧାଦେଶ କାହା ପାଇଁ?

ଚିଲିକା/ ଦିବ୍ୟକାନ୍ତ ବେହେରା: କୋଭିଡର ମୁକାବିଲା ଓ ନିୟନ୍ତ୍ରଣ କ୍ଷେତ୍ରରେ ଅନ୍ୟ ରାଜ୍ୟଠାରୁ ଓଡିଶା ଯେ ସର୍ବାଗ୍ରେ ଏହା ଯେକେହି ସ୍ୱିକାର କରିବ। ଏଥିପାଇଁ ରାଜ୍ୟ ସରକାରଙ୍କୁ ଓ ଓଡିଶାବାସୀଙ୍କୁ ଅଜସ୍ର ଧନ୍ୟବାଦ୍।
ବର୍ତ୍ତମାନ ପର୍ୟ୍ୟନ୍ତ ବି ସରକାର କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ଚେଷ୍ଟିତ । କିନ୍ତୁ ବିଶେଷଜ୍ଞଙ୍କ ମତରେ ଚଳିତ ଶୀତ କାଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ବିଶେଷ କରି ବର୍ତ୍ତମାନ ଦୀପାବଳି ପର୍ବରେ ବାଣ ଫୁଟାଗଲେ ତାହା ରୋଗ ଓ ରୋଗୀଙ୍କ ପାଇଁ ମାରାତ୍ମକ ହେବ । ବାଣରୁ ନିର୍ଗତ ବିଭିନ୍ନ ବିଷାକ୍ତ ବାଷ୍ପ ଡାକ୍ତରଖାନା ଅବା ସଙ୍ଗରୋଧ କେନ୍ଦ୍ରରେ ଥିବା କୋଭିଡ୍ ରୋଗୀଙ୍କ ଉପରେ କୁପ୍ରଭାବ ପକାଇବ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ବାଣ ବିକ୍ରି ତଥା ଫୁଟେଇବା ଉପାୀ ନିଷେଧାଦେଶ ଜାରି କରିଛନ୍ତି । ୨୦୨୦ ନଭେମ୍ବର ୧୦ ତାରିଖରୁ ୩୦ ତାରିଖ ପର୍ୟ୍ୟନ୍ତ କେହି ବାଣ ବିକ୍ରି କରିପାରିବେ ନାହିଁ କିମ୍ବା ଫୁଟେଇ ପାରିବେ ନାହିଁ। ଏହାକୁ ଅବମାନନା କଲେ ପ୍ରାକୃତିକ ବିପର୍ୟ୍ୟୟ ଆଇନ୍ ୨୦୦୫ ତଥା ଅନ୍ୟାନ୍ୟ ଆଇନ୍ ଅନୁଯାୟୀ ଦଣ୍ଡିତ ହେବାର ଉଲ୍ଲେଖ ଅଛି। ଏହା ରାଜ୍ୟ ସରକାରଙ୍କର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ସେଥିଲାଗି ଆମ ପରିବାର ଓ ଓଡିଶାବାସୀଙ୍କ ତରଫରୁ ଧନ୍ୟବାଦ ଜଣାଯାଉଛି।
ଏହା ପୂର୍ବରୁ କୋଭିଡ ମୁକାବିଲା ଲାଗି ସରକାର ବହୁତ କୋଭିଡ୍ ନିୟମ କାନୁନ୍ ଲାଗୁ କରିଛନ୍ତି, ଯାହାକି ବର୍ତ୍ତମାନ ପର୍ୟ୍ୟନ୍ତ ବଳବତ୍ତର ରହିଛି। କିନ୍ତୁ ଦେଖାଯାଇଛି “ପଣ୍ଡିତପୁଅ ମାଙ୍କଡ ମାରିଲେ ଦୋଷ ନାହିଁ” ନୀତିରେ ରାଜନେତା, ମନ୍ତ୍ରୀ ତଥା କ୍ଷମତାସୀନ ବ୍ୟକ୍ତି ଏହି ନିୟମକୁ ଖୋଲାଖୋଲି ଉଲଂଘନ କରୁଥିଲେ ବି ପ୍ରଶାସନିକ ଅଧିକାରୀମାନେ ସେମାନଙ୍କ ବିରୁଦ୍ଧରେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ନାରାଜ୍ । ବରଂ “ମାର ମାର ଭଣ୍ଡାରୀଆକୁ ମାର” ନୀତି ଆପଣେଇ ନିରୀହ ଜନତାଙ୍କ ଉପାୀ ଜୁଲମ କରି ଜରିମାନା ଆଦାୟ କରାଯାଉଛି।ତେଣୁ ସାଧାରଣ ଜନତାଙ୍କ ମନରେ ବିଦ୍ରୋହ ମନୋଭାବ ସୃଷ୍ଟି ହେଲାଣି। ସେହିପରି ଆସନ୍ତା ୧୦ ତାରିଖରେ ନିର୍ବାଚନ ଫଳାଫଳ ଘୋଷିତ ହେବାର ଅଛି। ବିଜୟୀ ପ୍ରାର୍ଥୀଙ୍କ ତରଫରୁ ଖୁସି ମନେଇବା ପାଇଁ ବାଣ ଫୁଟାଇବାର ସମ୍ଭାବନାକୁ ବି ଅସ୍ୱିକାର କରା ଯାଇ ପାରିବନି। ଯଦି କୌଣସି ବିଜୟୀ ପ୍ରାର୍ଥୀଙ୍କ ତରଫରୁ ବାଣ ଫୁଟାଯାଏ ଅଧିକାରୀମାନେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ତ ?? ଯଦି କୌଣସି ପ୍ରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ବାଣ ନିଷେଧାଦେଶକୁ ନ ମାନି ସମଗ୍ର ଓଡିଶାବାସୀ ବାଣ ଫୁଟାଇ ଆଲୋକର ପର୍ବ ଦୀପାବଳିକୁ ମହାଆଡମ୍ବର ସହକାରେ ପାଳନ କରିବେ, ଏଥିରେ ତିଳେ ମାତ୍ର ସନ୍ଦହ କରିବାର ନାହିଁ। ଫଳରେ କୋଭିଡ୍ ନିୟନ୍ତ୍ରଣ କ୍ଷେତ୍ରରେ ଯେଉଁ କ୍ଷତି ଘଟିବ ସେଥିପାଇଁ ସରକାର ଦାୟୀ ରହିବେ ତ ??? ଏହି ମହାମାରୀ କରୋନା ପ୍ରକୋପରୁ ସାଧାରଣ ଜନତା ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ନେତା ,ମନ୍ତ୍ରୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଉପରେ ଲଗାମ୍ ଲଗାଇ ପାରିବେ ନାହିଁ ସାଧାରଣ ଜନତାଙ୍କ ଉପରେ ଏପରି ଆଇନର ଛାଟ କାହିଁକି? ଯଦି ରାଜନେତାଙ୍କ କ୍ଷେତ୍ରରେ ବାଣ ଫୁଟାଇବା ଉପରେ ଲଗାମ ଲଗା ନ ଯାଏ ତେବେ ରାଜନେତାଙ୍କ ପକ୍ଷରୁ ହେବାକୁ ଥିବା ବିଜୟ ପର୍ବ କୋଭିଡ ରୋଗୀ ତଥା ସନ୍ଦିଗ୍ଧ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ବ୍ୟକ୍ତିବିଶେଷଙ୍କ ପାଇଁ କାଳ ହେବ ଏଥିରେ ଦ୍ୱିମତ କରିବାର ନାହିଁ । ତେଣୁ ବେଳ ଧାଉଁ ସରକାର ଏହା ଉପରେ ପଦକ୍ଷେପ ନେବା ଜରୁରୀ ।

Related posts

ବହୁ ପ୍ରତୀକ୍ଷିତ ପ୍ରକଳ୍ପକୁ ବୁଧବାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ 

mahabharatanews

ବନ୍ଦେ ଭାରତ ମିଶନ: ୟୁଏଇରୁ ଆସିଲେ ୩୬୩ ଭାରତୀୟ

mahabharatanews

ନୂଆବର୍ଷ ଭୋଜି ଖାଇ ଜୀବନ ଗଲା

mahabharatanews