(ଜ୍ୟୋତିରଂଜନ ଧର/କଣିହାଁ):ବେଆଇନ କଫ ସିରଫ ବିକ୍ରୀ ଖବର ପ୍ରସାରଣ କରି ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ଶେଷରେ ସର୍ବସାଧାରଣ ସ୍ଥାନରେ କୋଡିନ୍ ବ୍ୟବସାୟଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି । ଏପରିକି ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଜଣାଯାଇଛି । ଘଟଣାଟି ଘଟିଛି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ସମଲ ଥାନା ଅଞ୍ଚଳରେ । ତେବେ ବରିଷ୍ଠ ସାମ୍ବାଦିକ ଜଣକ କଣିହା ବ୍ଲକର ହିମାଂଶୁ ଶେଖର ଗଡନାଏକ ବୋଲି ଜଣାପଡିଛି । କିଛି ଦିନ ତଳେ ସ୍ଥାନୀୟ ଅଞ୍ଚଳରେ ବେଆଇନ କଫ ସିରଫର ବିକ୍ରୀକୁ ନେଇ ଏକ ଖବର ପ୍ରକାଶ ପାଇଥିଲା । ଏଥିରେ ସାମିଲ ଥିବା ବ୍ୟବସାୟୀ ଓ କିଛି ଅସାଧୁ ପୋଲିସ କର୍ମଚାରୀଙ୍କ ସମ୍ପୃକ୍ତି ବିଷୟରେ ସାମ୍ବାଦିକ ହିମାଂଶୁ ଉଲ୍ଲେଖ କରିଥିଲେ । ଏହି ଖବର ପ୍ରସାରିତ ହେବା ପରେ ନିଶା ଦ୍ରବ୍ୟ କାରବାରରେ ସମ୍ପୃକ୍ତ ବ୍ୟବସାୟୀ ତାଙ୍କୁ ଜନଗହଳିପୁର୍ଣ୍ଣ ରାସ୍ତାରେ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ । ପରେ ସାମ୍ବାଦିକ ଜଣକ ଘଟଣା ସମ୍ପର୍କରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହି ବେଆଇନ କଫ ସିରଫ ବିକ୍ରୀରେ ସମ୍ପୃକ୍ତ ଥିବା ଜଣେ ବ୍ୟବସାୟୀଙ୍କର ଏକ ମେଡିସିନ ଦୋକାନ ଥିବା ସେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିଥିବା ବେଳେ ଏହି ଘଟଣାରେ ତଦନ୍ତ ଜାରି ରହିଥିବା ସୂଚନା ଦେଇଛି ।
