(ନୂଆଦିଲ୍ଲୀ): ସମଗ୍ର ବିଶ୍ୱ ପାଇଁ ବଡ ଚିନ୍ତାର କାରଣ ପାଲଟିଥିବା ମହାମାରୀ କରୋନା ସଂକ୍ରମଣରେ ଦେଶରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଭାରତୀୟ ସେନାରେ ପ୍ରଥମ କରୋନା ସଂକ୍ରମଣ ଘଟଣା ଦୃଷ୍ଟିକୁ ଆସିଛି । ଲଦାଖର ଲେହ ଠାରେ ଥିବା ଜଣେ ଭାରତୀୟ ଯବାନଙ୍କ ନମୂନା ପରୀକ୍ଷଣ ରିପୋର୍ଟ ପଜିଟିଭ୍ ଆସିଛି । ତାଙ୍କ ଶରୀରରେ କୋଭିଡ-୧୯ ଭୂତାଣୁ ଚିହ୍ନଟ ହେବା ପରେ ତାଙ୍କୁ ଲଦାଖର ସ୍କାଉଟ ରେଜିମେଣ୍ଟାଲ ସେଣ୍ଟରରେ ଆଇସୋଲେସନରେ ରଖାଯାଇଛି । ନିକଟରେ ଯବାନଙ୍କ ପିତା ତୀର୍ଥଯାତ୍ରା ପାଇଁ ଇରାନ ଯାଇଥିଲେ । ତାଙ୍କ ଠାରୁ କରୋନା ସଂକ୍ରମଣ ହୋଇଥିବା ଅନୁମାନ କରାଯାଉଛି । ଏବେ ଯବାନଙ୍କ ଭଉଣୀ ଏବଂ ସ୍ତ୍ରୀଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇଛି ।
ଫେବୃଆରୀ ୨୦ରେ ଆକ୍ରାନ୍ତଙ୍କ ବାପା ଇରାନ ଗସ୍ତ ସାରି ଏୟାର ଇଣ୍ଡିଆ ବିମାନରେ ଫେରିଥିଲେ । ଏହି ସମୟରେ ସେନାର ଯବାନ ଜଣକ ଫେବୃଆରୀ ୨୫ରୁ ଛୁଟିରେ ଥିଲେ । ମାର୍ଚ୍ଚ ୨ରେ ସେ ଡ୍ୟୁଟିରେ ଯୋଗ ଦେଇଥିଲେ । ୧୬ ତାରିଖରେ ତାଙ୍କର କରୋନା ଟେଷ୍ଟ ହୋଇଥିଲା । ସେ କରୋନା ପଜିଟିଭ ବୋଲି ଜଣାପଡିଛି । ଯବାନ ଜଣକ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ଆଇସୋଲେସନରେ ରଖାଯାଇଛି । ଜଣାପଡିଛି । ସୁରକ୍ଷା ଦୃଷ୍ଟିରୁ ତାଙ୍କ ସାଙ୍ଗସାଥୀଙ୍କୁ ମଧ୍ୟ କ୍ୱାରାଣ୍ଟାଇନ କରାଯାଇଛି ।