ମାଲକାନଗିରି: ମାଲକାନଗିରି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ ଏବଂ ମାଲକାନଗିରି ସମନ୍ୱିତ ଶିଶୁ ବିକାଶ ଅଧିକାରୀ ବିପୁଳା ସର୍ଦ୍ଦାରଙ୍କ ଉପରେ ରାଜ୍ୟ ସରକାରଙ୍କର ୫-ଟିର ଛାଟ ପଡିଛି । ନିଳମ୍ବନ ପୂର୍ବରୁ ଜିଲ୍ଲାପାଳ ଏହି ଦୁଇ ଅଧିକାରଙ୍କର ସମସ୍ତ ଦୁର୍ନୀତିକୁ ନେଇ ତଦନ୍ତ କରିଥିଲେ । ତଦନ୍ତ ପରେ ଏହି ରିପୋର୍ଟକୁ ରାଜ୍ୟ ସରକାରଙ୍କ ନିକଟକୁ ପ୍ରେରଣ କରିଥିଲେ । ରାଜ୍ୟ ସରକାର ଜିଲ୍ଲାପାଳଙ୍କ ସୁପାରିଶ ପ୍ରକାରେ ୫-ଟି ଅନୁଯାୟୀ ଡିଏସଡବ୍ଲ୍ୟୁଓ ଏବଂ ସିଡିପିଓଙ୍କୁ ନିଳମ୍ବନ କରିଛନ୍ତି ।
ଦୁର୍ନୀତି ଏବଂ ପିସି କାରବାରରେ ବୁଡ଼ି ରହିଥିବା ମାଲକାନଗିରି ସିଡିପିଓ ବିପୁଳା ସର୍ଦ୍ଦାରଙ୍କ ନାମରେ ଅଭିଯୋଗ ରହିଥିଲା । ବିପୁଳା ସୁପରଭାଇଜର ଥିବା ସମୟରେ ବ୍ୟାପକ ଦୁର୍ନୀତି କରିବା ସହ ପିସି କାରବାରରେ ଲିପ୍ତ ରହିଥିଲେ । କୋରକୋଣ୍ଡା ଏବଂ ପଡିଆ ବ୍ଲକରେ କାର୍ଯ୍ୟରତ ଥିବା ସମୟରେ ସେ ଟଙ୍କା ହେରଫେର କରିବା ସହ ବିଭାଗର ବିଭିନ୍ନ କାର୍ଯ୍ୟରେ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା । ସେତେବେଳେ ସେ ଏକାଧିକ ଥର ନିଳମ୍ବିତ ମଧ୍ୟ ହୋଇଥିଲେ । ଏତେ ଦୁର୍ନୀତିରେ ବୁଡ଼ି ରହିବା ସହ ବାରମ୍ବାର ନିଲମ୍ବିତ ହୋଇଥିବା ଜଣେ ସିଡିପିଓଙ୍କୁ ଜିଲ୍ଲା ସମାଜ ମଂଗଳ ଅଧିକାରୀ ପଦନ୍ନୋତି ଦେଇଥିଲେ, ଯାହାକି ତକ୍ରାଳୀନ ଜିଲ୍ଲାପାଳ ତଦନ୍ତ କରିବା ପରେ ପଦୋନ୍ନତି ନ ଦେବା ପାଇଁ ନିର୍ଦେଶ ଦେଇଥିବା ଜଣାପଡିଛି । କିନ୍ତୁ ସେହି ନିର୍ଦେଶକୁ ଖାତିର ନକରି ଡିଏସଡବ୍ଲୁଓ ତାଙ୍କୁୁ ପଦୋନ୍ନତି ଦେଇଥିଲେ । କାରକୋଣ୍ଡାରେ ଥିବା ବେଳେ କ୍ରୟ ସାମଗ୍ରୀ, ରନ୍ଧା ଖାଦ୍ୟ, ଛତୁଆ ଇତ୍ୟାଦିରେ ବ୍ୟାପକ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା ସର୍ଦ୍ଦାରଙ୍କ ନାମରେ । ଏହା ସତ୍ୱେ ସିଡିପିଓ କିପରି ପଦୋନ୍ନତି ପାଇଲେ ତାହାକୁ ନେଇ ସୃଷ୍ଟି ହୋଇଥିଲା ତୁମ୍ବି ତୁଫାନ । ଫଳରେ ତଦନ୍ତ ପରିସରଭୁକ୍ତ ହୋଇଥିଲେ ସିଡିପିଓ ବିପୁଳା ସର୍ଦ୍ଦାର । ପ୍ରଥମେ ସିଡିପିଓଙ୍କୁ ନିଲମ୍ବିତ କରାଯାଇଥିଲା । ପରେ ତାଙ୍କୁୁ ସହଯୋଗ କରିଥିବା ନେଇ ଅଭିଯୋଗ ହେବା ପରେ ଡିଏସଡବ୍ଲୁଓ ସ୍ୱର୍ଣ୍ଣଲତା ବିଶ୍ୱାସଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିଲା ।