ଚେନ୍ନାଇ: ଅଭିନେତାରୁ ରାଜନେତା ପାଲଟିଥିବା ରଜନିକାନ୍ତ ଶନିବାର ଦିନ ଡିଏମକେର ସାଧାରଣ ସମ୍ପାଦକ କେ ଅନବାଜହାଗାନଙ୍କ ଶେଷ ଦର୍ଶନ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଆଜି ସକାଳେ ଅନବାଜହାଗନଙ୍କ ଚେନ୍ନାଇରେ ନିଧନ ହୋଇଥିଲା । ରଜନିକାନ୍ତ କହିଛନ୍ତି, ପ୍ରଫେସରଙ୍କ ମୃତ୍ୟୁ ଏକ ବିରାଟ କ୍ଷତି । ସେ ଦୀର୍ଘ ୬୦ ବର୍ଷ ଧରି ସାଧାରଣ ଜୀବନରେ ରହିଥିଲେ । ସମ୍ମାନ ଓ ମୂଲ୍ୟବୋଧ ପାଇଁ ସେ ବେଶ ପରିଚିତ ଥିଲେ । ତାଙ୍କର ନିଧନରେ ସେ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।
କେ ଅନବାଜହାଗନ ଆଜି ପ୍ରତ୍ୟୁଷରେ ଚେନ୍ନାଇର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା । ସେ ଡିଏମକେର ସାଧାରଣ ସମ୍ପାଦକ ଭାବେ ଦୀର୍କ୍ଷ ୪୩ ବର୍ଷ ଧରି କାର୍ଯ୍ୟ କରିଥିଲେ । ସେ ୯ ଥର ବିଧାୟକ, ଥରେ ଲୋକସଭା ସାଂସଦ ଓ ତାମିଲନାଡୁର ପୂର୍ବତନ ଅର୍ଥ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କରୁଣାନିଧିଙ୍କର ସେ ଥିଲେ ପରମ ମିତ୍ର । ଅନବାଜହାଗନଙ୍କୁ ପ୍ରଫେସର ଭାବେ ସମସ୍ତେ ଜାଣନ୍ତି । କାରଣ ସେ ୧୯୪୪ରୁ ୧୯୫୭ ପର୍ଯ୍ୟନ୍ତ ପଚାୟାପ୍ପା କଲେଜର ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ । ପରେ ସେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ରାଜନୀତିରେ ପାଦ ଥାପିଥିଲେ । ଡିଏମକେ ପକ୍ଷରୁ ସାଧାରଣ ସମ୍ପାଦକଙ୍କ ମୃତ୍ୟୁକୁ ନେଇ ଶୋକ ବ୍ୟକ୍ତ କରାଯାଇଛି । ଡିଏମକେ ସଭାପତି ଏମକେ ଷ୍ଟାଲିନ ଅନବାଜହାଗାନଙ୍କ ମୃତ୍ୟୁ ସମ୍ବାଦ ଆଜି ସକାଳୁ ଜାରି କରିଥିଲେ ।
