ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଆଉ ଏକ ଜୀବନ ନେଇଛି । ଏହି ମୃତକ ଜଣକ ହେଲେ ୧୨୦ ନମ୍ବର ଆକ୍ରାନ୍ତ, ଯିଏ ମଧୁସୂଦନ ନଗରର ବାସିନ୍ଦା ଥିଲେ । ତାଙ୍କୁ ୭୭ ବର୍ଷ ହୋଇଥିବା ବେଳେ ସେ ଡାଇବେଟିସ୍, କୀଡିନୀ, ହାଇପରଟେନସନରେ ପୀଡିତ ଥିଲେ । ଗତକାଲି ତାଙ୍କର କିମ୍ସ ହସ୍ପିଟାଲରେ ଚିକିତ୍ସାବସ୍ଥାରେ ମୃତ୍ୟୁ ହୋଇଛି । ଏଡା ପରେ କରୋନାରେ ମୃତକଙ୍କ ସଂଖ୍ୟା ୨ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ମୃତ୍ୟୁ ହୋଇଥିବା କରୋନା ସଂକ୍ରମିତ ଜଣଙ୍କ ମଧ୍ୟ ଖୋର୍ଦ୍ଧା ଜିଲ୍ଲାର ରହିଥିଲେ ଖୋର୍ଦ୍ଧା ଜିଲ୍ଲାରେ ମୋଟ୍ ୪୭ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୧୪ଟି ଆକ୍ଟିଭ କେସ୍ ରହିଛି । ସେହିପରି ୩୧ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୧୫ଟି ଆକ୍ଟିଭ୍ କେସ୍ ରହିଛନ୍ତି । ସେହିପରି ଦୁଇ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ବେଳେ ୬୦ଜଣ ସୁସ୍ଥ ହୋଇସାରିଛନ୍ତି ।