(ମହାଭାରତ, ଅହମଦାବାଦ): ମାର୍ଚ୍ଚ ୨୬ରେ ହେବ ରାଜ୍ୟସଭା ନିର୍ବାଚନ । ଏଥିପାଇଁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି । ଏହାରି ଭିତରେ ଗୁଜୁରାଟ କଂଗ୍ରେସର ଦୁଇ ବିଧାୟକ ଇସ୍ତଫା ଦେଇଛନ୍ତି । ରାଜ୍ୟସଭା ନିର୍ବାଚନରେ ଟିକେଟ୍ ବାଣ୍ଟିବାକୁ ନେଇ ଅସନ୍ତୋଷ ପ୍ରକାଶ କରି ଦୁଇ ବିଧାୟକ ସୋମା ପଟେଲ ଏବଂ ଜେଭି କାକଡିଆ ବିଳମ୍ବିତ ରାତିରେ ଦଳର ସଭାପତିଙ୍କୁ ଭେଟିବା ପରେ ପଦବୀରୁ ଇସ୍ତଫା ଦେଇଛନ୍ତି । ସୋମା ପଟେଲ ଲିମଡିର ବିଧାୟକ ହୋଇଥିବା ବେଳେ କାକଡିଆ ଧାରୀର ବିଧାୟକ । ସେହିପରି କଂଗ୍ରେସର ଆଉ ଦୁଇ ବିଧାୟକ ଶାସକ ଦଳ ବିଜେପିର ଯୋଗାଯୋଗରେ ରହିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ସୋମା ପଟେଲ ଏବଂ କାକଡିଆ କୋଲି ସମ୍ପ୍ରଦାୟର ଅଟନ୍ତି । ରାଜ୍ୟସଭା ପ୍ରାର୍ଥୀ ତାଙ୍କ ସମୁଦାୟରୁ ହୁଅନ୍ତୁ ବୋଲି ସେମାନେ ଚାହୁଁଥିଲେ । ଏନେଇ ଦଳ ନିକଟରେ ଦାବି କରିଆସୁଥିଲେ । କିନ୍ତୁ ସେମାନଙ୍କ ଦାବୀ ଅନୁଯାୟୀ କଂଗ୍ରେସ ପ୍ରାର୍ଥୀ ନଦେବାରୁ ଅସନ୍ତୋଷ ପ୍ରକାଶ କରି ବିଧାୟକ ପଦବୀରୁ ଏହି ଦୁଇ ବିଧାୟକ ଇସ୍ତଫା ଦେଇଛନ୍ତି । ଗୁଜୁରାଟରୁ ରାଜ୍ୟସଭାର ୩ଟି ଆସନ ପାଇଁ ନିର୍ବାଚନ ହେବ । ଉଭୟ ବିଜେପି ଓ କଂଗ୍ରେସ ୩ଟି ଲେଖାଏଁ ଆସନରେ ପ୍ରାର୍ଥୀ ଦେଇଛନ୍ତି ।
previous post
