(ମୁମ୍ବାଇ): ମୁମ୍ବାଇ ପୋଲିସ ୫୧ ଜଣଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି । ସେମାନେ ଶନିବାର ଏକ ରାଲିରେ ଯୋଗ ଦେଇ ଜେଏନୟୁ ଛାତ୍ର ତଥା ଦେଶଦ୍ରୋହ ଅଭିଯୁକ୍ତ ଶରଜିଲ ଇମାମ ସମର୍ଥନରେ ସ୍ଲୋଗାନ ଦେଇଥିଲେ । ଆଜାଦ ମଇଦାନ ଥାନା ପକ୍ଷରୁ ସେମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାାନୁଷ୍ଠାନ ଗ୍ରହଣ କରାଯାଇଥିବା ଡିସିପି ପ୍ରଣୟ ଅଶୋକ କହିଛନ୍ତି । ପୋଲିସ ଏହି ଅଭିଯୁକ୍ତ ମାନଙ୍କୁ ଖୋଜୁଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକର ପରିଚୟ ମିଳିଥିବା ସୂଚନା ମିଳିଛି ।
ଫେବୃଆରୀ ୧ ତାରିଖରେ ମୁମ୍ବାଇର ଆଜାଦ ପଡିଆ ଠାରେ ‘ମୁମ୍ବାଇ ପ୍ରାଇଡ ସେଲିବ୍ରିଟି ୨୦୨୦’ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ସେଠାରେ ଉପସ୍ଥିତ କିଛି ଲୋକେ ଶରଜୀଲ ଇମାମ ସମର୍ଥନରେ ସ୍ଲୋଗାନ ଦେଇଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିପାଇଁ ମହାରାଷ୍ଟ୍ରର ମେଣ୍ଟ ସରକାରକୁ ବିଜେପି ଦାୟୀ କରିଥିଲା । ଜଣେ ବିଜେପି ନେତା ଏହା ବିରୋଧରେ ଆଜାଦ ମଇଦାନ ଥାନାରେ ଏତଲା ଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏନେଇ ୫୧ ଜଣଙ୍କ ବିିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି । ସୂଚନାଯୋଗ୍ୟ, ଜେଏନୟୁ ଛାତ୍ର ଶରଜିଲ ଇମାମ ସିଏଏ ଏବଂ ଏନଆରସିକୁ ବିରୋଧ କରି ଆପତ୍ତିଜନକ ଟିପ୍ପଣୀ ଦେଇଥିିଲେ । ଏହାପରେ ଜାନୁଆରୀ ୨୮ରେ ତାକୁ ଦିଲ୍ଲୀ କ୍ର।।ଇମବ୍ରାଞ୍ଚ ବିହାରର ଜେହେନାବାଦରୁ ଗିରଫ କରିଥିଲା ।