ନୂଆଦିଲ୍ଲୀ: ଆନ୍ଦୋଳନରତ ଚାଷୀ ନେଲେ ବଡ ନିଷ୍ପତ୍ତି । ଶୀତ ଅଧିବେଶନରେ ଆଉ ହେବ ନାହିଁ ସଂସଦକୁ ଟ୍ରାକ୍ଟର ମାର୍ଚ୍ଚ । ଏପରି ନିଷ୍ପତ୍ତି ନେଇଛନ୍ତି ଚାଷୀ ସଂଗଠନ । ଆଜି ସିଂଘୁ ଓ ଟିକରୀ ବର୍ଡରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତାଙ୍କୁ ନେଇ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ପୂର୍ବରୁ ଚାଷୀମାନେ ଶୀତ ଅଧିବେଶନର ପ୍ରଥମ ଦିନରେ ସଂସଦ ପର୍ୟ୍ୟନ୍ତ ଟ୍ରାକ୍ଟର ମାର୍ଚ୍ଚ କରିବାକୁ ଘୋଷଣା କରିଥିବା ଖବର ଆସୁଛି ।
ନଭେମ୍ବର ୨୬ ତାରିଖରେ କିଷାନ ମହାପଞ୍ଚାୟତ ବେଳେ ଚାଷୀ ନେତା ରାକେଶ ଟିକାୟତ କହିଥିଲେ, ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟକ୍ରମ ଅନୁସାରେ ଚାଷୀମାନେ ଟ୍ରାକ୍ଟର ରାଲି କରିବେ । ଏଥିରେ ଚାଷୀମାନେ ଟ୍ରାକ୍ଟର ଧରି ସଂସଦ ପର୍ୟ୍ୟନ୍ତ ରାଲି କରିବେ । ହେଲେ ଏବେ ଏହାକୁ ବାତିଲ କରିଦିଆଯାଇଥିବା ଖବର ପ୍ରକାଶ ପାଉଛି । ଚାଷୀମାନଙ୍କର ଏହି ଟ୍ରାକ୍ଟର ମାର୍ଚ୍ଚ ବାତିଲ ଏପରି ସମୟରେ ଆସିଛି, ଯେତେବେଳେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କୃଷକଙ୍କର ଅନ୍ୟ ଦୁଇଟି ଦାବିକୁ ନେଇ ସକରାତ୍ମକ ମନୋଭାବ ପୋଷଣ କରିଛନ୍ତି ଆଉ ଚାଷୀ ଆନ୍ଦୋଳନକୁ ଶେଷ କରିବାକୁ ଅପିଲ କରିଛନ୍ତି । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏମଏସପି ଉପରେ ଆଇନ ନିର୍ମାଣ ପାଇଁ କମିଟି ଗଠନ ଓ ନଡା ଜଳାଇବା ଅପରାଧମୁକ୍ତ ବୋଲି କହିଛନ୍ତି । ଯାହା ପରେ ଚାଷୀମାନେ ଏହି ଟ୍ରାକ୍ଟର ରାଲି ବାତିଲ କରିଥିବା ଏବେ ସୂଚନା ମିଳୁଛି ।
