(ଲକ୍ଷେ୍ନø): ଉତ୍ତରପ୍ରଦେଶରେ ଦିନ ଶାନ୍ତି ବଜାୟ ରଖିବାକୁ ଶୁକ୍ରବାର ୟୁପି ପ୍ରଶାସନ ନିରାପତ୍ତା ବ୍ୟବସ୍ଥା ବୃଦ୍ଧି କରିବା ସହ ଜୋରଦାର ପାଟ୍ରୋଲିଙ୍ଗ ଆରମ୍ଭ କରିଛି । ଏହି ସମୟରେ ୨୧ ଟି ଜିଲ୍ଲାର ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ସେନାବଳ ମୁତୟନ ଜାରି ରହିଛି । ସିଏଏକୁ ବିରୋଧ କରୁଥିବା ଆନ୍ଦୋଳକାରୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାଗୁଡିକର ତଦନ୍ତ ନିମନ୍ତେ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ଗଠନ କରାଯାଇଛି । ହିଂସା ପ୍ରଭାବିତ ଜିଲ୍ଲା ଗୁଡିକରେ ସ୍ଥିତି ସୁଧୁରିଲେ ସେଠାରେ ଇଣ୍ଟରନେଟ ସେବା ପୁନଃ କାର୍ଯ୍ୟକ୍ଷମ କରାଯିବ ବୋଲି ଉତ୍ତରପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ ଓପି ସିଂହ କହିଛନ୍ତି ।
ଏକ ସପ୍ତାହ ପରେ ଗାଜିଆବାଦ, ବୁଲନ୍ଦସହର, ମିରଟ, ମୁଜାଫରନଗର ଏବଂ ଶାମିଲରେ ଚାଲୁ କରାଯାଇଥିବା ଇଣ୍ଟରନେଟ ସେବାକୁ ପୁଣି ବନ୍ଦ କରାଯାଇଛି । ଉତ୍ତମ ନିରାପତ୍ତା ନିମନ୍ତେ ଶୁକ୍ରବାର ଦିନ କେତେକ ସହରରେ ପାରାମିଲିଟାରୀ ଫୋର୍ସର କର୍ମଚାରୀ ଏବଂ ରାଜ୍ୟ ପୋଲିସ ବଳଙ୍କୁ ମୁତୟନ କରାଯିବା ସହ ଡ୍ରୋନ କ୍ୟାମେରା ବ୍ୟବହାର କରାଯାଇଥିବା କଥା ସରକାରୀ କର୍ମଚାରୀମାନେ କହିଛନ୍ତି । ଏବେ ବି ରାଜ୍ୟର ସବୁ ଜିଲ୍ଲାରେ ୧୪୪ ଧାରା ଜାରି ରହିଛି । ଏହାଛଡା ରାଜ୍ୟର ବିଭିନ୍ନ ଜିଲ୍ଲାରେ ସିଏଏକୁ ପ୍ରତିବାଦ କରି ହୋଇଥିବା ହିଂସାରେ ସର୍ବସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିଥିବା ୪୯୮ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ।
