Uncategorized

ହାଇଦ୍ରାବାଦ ଘଟଣାର ପୁନରାବୃତ୍ତି, ଦୁଷ୍କର୍ମ ପରେ ଛାତ୍ରୀଙ୍କୁ ପୋଡି ହତ୍ୟା ଉଦ୍ୟମ

(ମହାଭାରତ, ହାଇଦ୍ରାବାଦ): ହାଇଦ୍ରାବାଦର ପ୍ରାଣୀ ଚିକିତ୍ସକଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲା ମନରୁ ନଲିଭୁଣୁ ପୁଣି ଏହି ଘଟଣାର ପୁନରାବୃତ୍ତି ହୋଇଛି । ତେଲେଙ୍ଗାନାର ସୂର୍ଯ୍ୟପେଟ ଜିଲ୍ଲାରେ ଜଣେ ଯୁବକ ୧୭ ବର୍ଷୀୟା ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ପରେ ପୋଡି ମାରିଦେବାକୁ ଉଦ୍ୟମ କରିଥିବା ଜଣାପଡିଛି । ଅର୍ଦ୍ଧଦଗ୍ଧ ଅବସ୍ଥାରେ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ତେବେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି । ପୋଲିସ କହିବା ଅନୁଯାୟୀ, ଥିରୁମଙ୍ଗଳଗିରି ବ୍ଲକ ଅନ୍ତର୍ଗତ ରାଘବପୁର ଗାଁର ସମ୍ପୃକ୍ତ ଛାତ୍ରୀ ଜଣକ ଯୁକ୍ତ ଦୁଇରେ ପଢନ୍ତି । ପୀଡିତାଙ୍କ ପଡୋଶୀ ତଥା ଅଭିଯୁକ୍ତ ଭେଙ୍କଟେଶ ମୂଲ ଲାଗି ଚଳନ୍ତି । ଭେଙ୍କଟେଶ ଦୁଇ ବର୍ଷ ଧରି ଉକ୍ତ ଛାତ୍ରୀଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇ ଆସୁଥିଲା । ତେବେ ସେ ଅପାଠୁଆ ଓ ମୂଲ ଲାଗି ଚଳୁଥିବାରୁ ଛାତ୍ରୀ ଜଣକ ତା ପ୍ରସ୍ତାବରେ ରାଜି ହୋଇନଥିଲେ । ଶୁକ୍ରବାର ଛାତ୍ରୀଙ୍କ ପିତାମାତା ମୂଲ ଲାଗିବା ପାଇଁ ହାଇଦ୍ରାବାଦ ଯାଇଥିଲେ । ଘରେ ଏକାକୀ ଥିବା ସୁଯୋଗ ପାଇଁ ପଡୋଶୀ ଭେଙ୍କଟେଶ ଘର ଭିତରେ ପସି ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ । ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ପୀଡିତା ଜଣକ ନିଆଁ ଲାଗିଥିବା ଅବସ୍ଥାରେ ଦୌଡି ଘର ବାହାରକୁ ପଳାଇ ଆସିଥିଲେ । ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରି ବିକଳରେ ପାଖ ପଡୋଶୀଙ୍କୁ ଡାକ ପକାଇଥିଲେ । ତାଙ୍କ ଚିତ୍କାର ଶୁଣି ପଡୋଶୀମାନେ ଧାଇଁ ଆସି ପୀଡିତାଙ୍କୁ ମହାତ୍ମାଗାନ୍ଧି ସ୍ମାରକୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ପୀଡିତା ଜଣକ ମୃତ୍ୟୁ ସହ ସଂଗ୍ରାମ ଚଳାଇଛନ୍ତି । ଅଭିଯୁକ୍ତର ବିବାହ ପ୍ରସ୍ତାବକୁ ଛାତ୍ରୀ ଜଣକ ପ୍ରତ୍ୟାଖ୍ୟାନ କରିଥିବାରୁ ପ୍ରତିଶୋଧ ପରାୟଣ ହୋଇ ସେ ଏଭଳି କାଣ୍ଡ ଘଟାଇଥିବା ଥିରୁମଙ୍ଗଳଗିରି ଥାନାଧିକାରୀ ଏସ ଡାନିଏଲ କହିଛନ୍ତି । ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଅଭିଯୁକ୍ତ ଭେଙ୍କଟେଶକୁ କୋର୍ଟଚାଲାଣ କରିଛି ।

Related posts

ମେ ୩୧ ପର୍ଯ୍ୟନ୍ତ ଚେନ୍ନାଇକୁ ବିମାନ ଚଳାଚଳ ବନ୍ଦ ରଖିବାକୁ ତାମିଲନାଡୁ ସରକାରର ଅନୁରୋଧ

mahabharatanews

ଅମ୍ଫାନ ମୁକାବିଲା: ଓଡିଶାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

mahabharatanews

ଦିଲ୍ଲୀ ହିଂସ।: କଂଗ୍ରେସର ସଂସଦ ବାହାରେ ନାରାବାଜୀ

mahabharatanews