(ମୁମ୍ବାଇ): ୧୯୯୩ ମସିହା ମୁମ୍ବାଇ ବିସ୍ଫୋରଣ ମାମଲାରେ ଆଜୀବନ ସଜା କାଟୁଥିବା ଅନ୍ୟତମ ଦୋଷୀ ଜଲୀସ ଅନ୍ସାରି ଗତ ଗୁରୁବାର ନିଖୋଜ ହୋଇଯାଇଛି । ଗତ ୨୧ ଦିନ ହେବ ପାରୋଲରେ ଆସି ସେ ତାର ମୁମ୍ବାଇ ବାସଭବନରେ ରହୁଥିଲା । ତେବେ ଗୁରୁବାର ସକାଳୁ ସେ କେଉଁଆଡେ ପଳାଇଛି । ତା ପରିବାର ଲୋକେ ଥାନାରେ ସେ ନିରୁଦ୍ଧିଷ୍ଟ ଥିବା ଅଭିଯୋଗ କରିଛନ୍ତି । ଫଳରେ ପୋଲିସ ତାକୁ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରିଛି । ପୋଲିସ ସୂଚନା ଅନୁଯାୟୀ, ରାଜସ୍ଥାନ ସ୍ଥିତ ଆଜମେତ କେନ୍ଦ୍ରୀୟ କାରାଗାରରୁ ଅନସାରୀ ୨୧ ଦିନ ପାଇଁ ପାରୋଲରେ ଆସିଥିଲା । ଶୁକ୍ରବାର ସେ ଜେଲ ଫେରିବାର ଥିଲା । ପାରୋଲ ନିୟମ ମୁତାବକ ଅନସାରି ପ୍ରତିଦିନ ଅଗ୍ରୀପଡା ଥାନାରେ ସକାଳ ସାଢେ ୧୦ଟାରୁ ୧୨ଟାରେ ହାଜିରା ପକାଉଥିଲା । କିନ୍ତୁ ଗୁରୁବାର ଦିନ ନିର୍ଦ୍ଧାରିତ ସମୟ ପୂର୍ବରୁ ସେ ଥାନାରେ ପହଞ୍ଚିନଥିଲା ।
ଗୁରୁବାର ଅପରାହ୍ନରେ ଅନସାରିର ପୁଅ ଜୈଦ ଅନସାରି ଥାନାରେ ପହଞ୍ଚି ତା’ର ବାପାର କୌଣସି ଖୋଜ ଖବର ମିଳୁ ନଥିବା କହିଥିଲା । ତେବେ ପୁଅର ଏତଲା ଅନୁଯାୟୀ ଅନସାରି ନମାଜ ପଢିବାକୁ ଯାଉଛି ବୋଲି ଘର ଲୋକଙ୍କୁ କହିଥିଲା । ସେ ଏବେ ନିଖୋଜ ହୋଇଯାଇଥିବା ଜାଣିବା ପରେ ମୁମ୍ବାଇ ପୋଲିସ ଅନସାରୀକୁ ଖୋଜିବା ଆରମ୍ଭ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ, ମୁମ୍ବାଇ ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗ କରୁଥିବା ଅନସାରିର ମୁମ୍ବାଇ ବ୍ୟତୀତ ଅନେକ ସ୍ଥାନରେ ହୋଇଥିବା ବୋମା ବିସ୍ଫୋରଣରେ ସମ୍ପୃକ୍ତି ରହିଛି । ସେ ଡକ୍ଟର ବମ ଭାବେ ମଧ୍ୟ ବେଶ ଜଣାଶୁଣା । ଆତଙ୍କବାଦୀ ସଂଗଠନ ସିମି ଓ ହିଜବୁଲ ସହ ସେ ସାମିଲ ଥିଲା ।