ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପୁଣି ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କରିଛନ୍ତି। ଜିଲ୍ଲାର ସୁନାବେଡା ଅଭୟ।ରଣ୍ୟରେ ଏକ ମାଓ ଶିବିର ଠାବ କରାଯାଇଛି ଓ ବ୍ୟାପକ ମାଓସାମଗ୍ରୀ ଜବତ କରାଯାଇଛି । ଲାନଇଇ ଏକ ସାମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଓ ସିଅରପିଏଫ କମାଣ୍ଡାଣ୍ଟ ରାଜେଶ କୁମାର ବତ୍ସ ସୂଚନା ଦେଇଛନ୍ତି। ଏହାସହ ସୁରକ୍ଷାବଳ ଏନକାଉଣ୍ଟରେ ୪ ମାଓବାଦୀ ନିହତ ହୋଇଥିବା ଆକଳନ କରାଯାଉଛି ।
ପଡୋଶୀ ଛତିଶଗଡ଼ ଓ ଓଡ଼ିଶା ସୀମାନ୍ତ ନୂଆପଡ଼ା ଜିଲାର ସୁନାବେଡା ଅଭୟାରଣ୍ୟ ଅଞ୍ଚଳରେ ମାଓ ଗତିବଧି ସୂଚନା ଆଧରରେ ଗତ ୭ ତାରିଖରେ ନୂଆପଡ଼ା ଜିଲ୍ଲା ପୁଲିସ, ଏସଓଜି ଯବାନଙ୍କ ୨ଟି ଦଳ ଓ ସୁନାବେଡା ସିଆରପିଏଫ ଶିବିର ଯବାନ ୨ଟି ଦଳ ଖାନତଲାସ ଆରମ୍ଭ କରିଥିଲେ। ୯ତାରିଖ ସକାଳ ପ୍ରାୟ ୯ଟାରେ ସୁନାବେଡା ଅଭୟାରଣ୍ୟ ଭିତରେ ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ଜିଲା ମେନପୁର ଥାନା ସିକାସର ଡେମ ନିକଟ ହତୋଡାଡି ଗାଁ ନିକଟରେ ମାଓବାଦୀଙ୍କ ସହ ଯବାନମାନଙ୍କ ଗୁଳି ବିନିମୟ ହୋଇଥିଲା। ମାଓବାଦୀମାନେ ୧୫ରୁ ୨୦ଟି ଆଇଡି ବିସ୍ଫୋରଣ କରି ଛତ୍ରଭଙ୍ଗ ଦେଇଥିଲେ।
ସେହିଦିନଠାରୁ ନୂଆପଡା ପୁଲିସ ଦଳ ସିଆରପିଏଫ ସହ ମିଳିତ ଭାବରେ କମ୍ବିଂ ଜାରି ରହିଥିଲା। ତେବେ ୧୨ ତାରିଖ ସକାଳ ପ୍ରାୟ ୯ଟା ୪୫ରେ ଯବାନମାନେ ଖାନତଲାସ ଜାରି ରଖିଥିଲାବେଳେ ମାଓବାଦୀମାନେ ଯବାନମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଆରକ୍ଷୀ ଅଧିକ୍ଷକଙ୍କ କହିବା ମୁତାବକ ୬୦୦ରୁ ୭୦୦ ରାଉଣ୍ଡ ଗୁଳି ଚାଳନା ହୋଇଥିଲା। ଏଥିରେ ୩ରୁ ୪ ନକ୍ସଲ ନିହତ ହୋଇଥିବା ଆଶାଙ୍କା କରାଯାଉଥିଲେ ଏଯାବତ୍ କୌଣସି ମୃତଦେହ ଉଦ୍ଧାର ହୋଇନାହିଁ । ତେବେ କ୍ୟାମ୍ପରୁ ବିପୁଳ ମାଓ ସମଗ୍ରୀ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।