ଓଡିଶା

୯୦ ହଜାର ବ୍ଲକବାସୀଙ୍କ ପାଇଁ ମାତ୍ର ୨ ଡାକ୍ତର

(ମହାଭାରତ, କୋରାପୁଟ): କୋରାପୁଟ ଜିଲ୍ଲାର ଉପାନ୍ତ ଅଞ୍ଚଳ ଦଶମନ୍ତପୁର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏବେ ଡାକ୍ତର ଅଭାବ । ଏଠାରେ ପୂର୍ବରୁ କାର୍ଯ୍ୟରତ ଥିବା ୪ଜଣ ଡାକ୍ତର ଅନ୍ୟତ୍ର ବଦଳି ହୋଇଛନ୍ତି । ଫଳରେ ସ୍ୱାସ୍ଥ୍ୟସେବାରେ ବାଧା ଉପୁଜିଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପାଖାପାଖି ୯୦ ହଜାରରୁ ଉଦ୍ଧ୍ୱର୍ ଲୋକ ରହୁଥିବା ଏହି ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର କେବଳ ଦୁଇଟି ଡାକ୍ତରଙ୍କୁ ନେଇ ଚାଲିଛି । ତେବେ ଖାଲି ପଡିଥିବା ଡାକ୍ତରଙ୍କ ପଦ ପୂରଣ କରାଯାଉ ନଥିବାରୁ ଅଧିକାଂଶ ସମୟରେ ଲୋକେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି ।

ଦଶମନ୍ତପୁର ବ୍ଲକରେ ୧୬ଟି ପଞ୍ଚାୟତ ରହିଛି । ବିଭିନ୍ନ ସମ୍ପ୍ରଦାୟର ପାଖାପାଖି ୯୦ ହଜାର ଲୋକେ ଏହି ବ୍ଲକରେ ବସବାସ କରନ୍ତି । ଯାହାର ଏକ ତୃତୀୟାଂଶ ଆଦିବାସୀ ରହିଛନ୍ତି । ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଏହା ଅଧୀନରେ ଥିବା ୪ଟି ଉପ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ର୍ନିଭର କରିଥାନ୍ତି । ଏଠାରେ ୨୪ଟି ଏଏନଏମ ସେଣ୍ଟର ରହିଛି । ଉପ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଦୀର୍ଘ ଦିନ ଧରି ଜଣେ ଲେଖାଏଁ ଡାକ୍ତର ରହି ବଣ, ପାହାଡ଼ ଘେରା ଦୁର୍ଗମ ଗାଁରେ ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି । ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଏହି ଡାକ୍ତରଙ୍କ ଜରିଆରେ ହୋଇ ଆସୁଛି । ତେବେ ବର୍ତ୍ତମାନ ଗିର୍ଲିଗୁମା, ଡୁମ୍ବାଗୁଡା ଏବଂ ଆଡ଼ମୁଣ୍ଡ ଉପ ସ୍ୱାସ୍ଥ୍ୟକେନ୍ଦ୍ରର ୩ ଜଣ ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨ଜଣ ଡାକ୍ତର ଅଛନ୍ତି । ପିଜି ପାଠ୍ୟକ୍ରମ ପାଇଁ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତର ଆଗାମୀ ଦିନରେ ଛୁଟିରେ ଯାଉଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ ଏଏନଏମ ସେଣ୍ଟରଗୁଡିକ ସମ୍ପୂର୍ଣ୍ଣ ଭୁତକୋଠରୀ ପାଲିଟିଛି । ଦୀର୍ଘ ବର୍ଷ ହେଲା କୌଣସି ସେଣ୍ଟରରେ ମହିଳା ସ୍ୱାସ୍ଥ୍ୟକର୍ମୀ ନାହାନ୍ତି । କୋରାପୁଟରୁ ଏଏନଏମ ମାନେ ଯିବା ଆସିବା କରି କାମ କରୁଥିବା ମାଲକାନଗିରି , ଆଡ଼ମୁଣ୍ଡ, ନନ୍ଦିଗାଁ, ଗିରଳିଗୁମ, ଡୁମ୍ବାଗୁଡା, ପିଣ୍ଡାପଦର, ଲୁଲା ଆଦି ପଞ୍ଚାୟତ ଲୋକେ କହିଛନ୍ତି । ସେହିପରି ଖାଲି ପଡିଥିବା ଉପ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ନୂତନ ଡାକ୍ତର କେବେ ନିଯୁକ୍ତି ପାଇବେ ସେ ବିଷୟରେ ଏଯାଏ କୌଣସି ସୂଚନା ମିଳିନାହିଁ ।

ଅନ୍ୟପକ୍ଷରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧ ଜଣ ଡାକ୍ତର ରହିବା କଥା । ମାତ୍ର ଦଶମନ୍ତପୁର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମାତ୍ର ୨ ଜଣ ଡାକ୍ତରଙ୍କୁ ନେଇ ଚାଲୁଛି । ଏଠାରେ ଡାକ୍ତରଙ୍କ ଅଭାବ ବିଷୟରେ ସିଡିଏମଓଙ୍କୁ ପଚରା ଯିବାରୁ ସେ କହିଛନ୍ତି ଯେ, କୋରାପୁଟରେ ଜିଲ୍ଲାରେ ନିଯୁକ୍ତି ପାଇଁ ୪୪ ଜଣ ଡାକ୍ତର ଆସୁଛନ୍ତି । ତେବେ ଦଶମନ୍ତପୁର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ କେତେଜଣ ନିଯୁକ୍ତି ପାଇବେ ତାହା ଜଣା ପଡ଼ିନାହିଁ । ତେବେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗକୁ ମୋ ସରକାର କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କରିଥିବା ବେଳେ ତାହା ଏହି ଅଞ୍ଚଳରେ କିଭଳି କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା ।

Related posts

ଘାଟକେଶ୍ୱର ବହୁମୁଖୀ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

mahabharatanews

ଆଜି ବନକ ଲାଗି ନୀତି; ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

mahabharatanews

ଆଜି ଶିକ୍ଷକ ନିଯୁକ୍ତି ପରୀକ୍ଷା

mahabharatanews