(ଦିଲ୍ଲୀ) : ତୃତୀୟ ଦିନ ପାଇଁ ଜାତୀୟ ରାଜଧାନୀରେ ଘନ କୁହୁଡ଼ି ଲାଗି ରହିଥିବାରୁ ଦିଲ୍ଲୀ ବିମାନବନ୍ଦର ଯାତ୍ରୀମାନଙ୍କୁ ବିମାନ ବିଳମ୍ବ ନେଇ ସତର୍କ କରାଇଦେଇଛି। ପ୍ରାୟ ୩୦ଟି ବିମାନ ଆସିବା ଓ ପ୍ରସ୍ଥାନରେ ବିଳମ୍ବ ହେଉଥିବା ବେଳେ ଜୟପୁରକୁ ୧୧ଟି ଏବଂ ଲକ୍ଷ୍ନୌକୁ ଗୋଟିଏ ବିମାନ ଡାଇଭର୍ଟ କରାଯାଇଛି।
ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ଯାତ୍ରୀଙ୍କ ପାଇଁ ଏକ ଆଡଭାଇଜରି ଜାରି କରି କୁହାଯାଇଛି ଯେ ବିମାନବନ୍ଦରରେ ଅବତରଣ ଓ ଉଡ଼ାଣ ଜାରି ରହିଥିବା ବେଳେ ସିଏଟି-୩ ସୁବିଧା ନ ଥିବା ବିମାନଗୁଡ଼ିକ ପ୍ରଭାବିତ ହୋଇପାରେ। ସିଏଟି-୩ ଯନ୍ତ୍ର ହେଉଛି ଏକ ଆଣ୍ଟି-ଫଗ୍ ଲ୍ୟାଣ୍ଡିଂ ସିଷ୍ଟମ୍ ଯାହା ଖରାପ ଦୃଶ୍ୟମାନତା ସମୟରେ ବ୍ୟବହାର କରାଯାଏ। ବିମାନର ଅପଡେଟ୍ ସୂଚନା ପାଇଁ ସଂପୃକ୍ତ ଏୟାର୍ଲାଇନ୍ସ ସହ ଯୋଗାଯୋଗ କରିବାକୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି।
