(ଗଞ୍ଜାମ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି । ସୋମବାର ଗଞ୍ଜାମ ଜିଲ୍ଲାରୁ ଆଉ ୩୨ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ସମୁଦାୟ ୯୨୫ ଜଣ କରୋନାରେ ସଂକ୍ରମିିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୭୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୪୮ ଜଣ କରୋନା ପଜିଟିଭ୍ ଥାଇ ଚିକିତ୍ସିତ ହେଉଥିବା ଜଣାପଡିଛି । ତେବେ ଆଜି ଚିହ୍ନଟ ହୋଇଥିବା ୩୨ ଜଣ ପଜିଟିଭ୍ଙ୍କ ମଧ୍ୟରୁ ୨ ଜଣ କରୋନା ଯୋଦ୍ଧା ରହିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଏମାନଙ୍କ ମଧ୍ୟରୁ ଜଣେ ଭଞ୍ଜନଗର ଓ ଅନ୍ୟ ଜଣେ ଏସଏସକେଏ-୧ ଅଞ୍ଚଳର ବୋଲି ଜଣାପଡିଛି । ସେହିପରି ଚିହ୍ନଟ ହୋଇଥିବା ଅନ୍ୟ ଆକ୍ରାନ୍ତମାନଙ୍କ ମଧ୍ୟରୁ ସୁରଟ ଫେରନ୍ତା ୪ ଜଣ ଜଣେ ତାମିଲନାଡୁ ଫେରନ୍ତା, ଜଣେ ମହାରାଷ୍ଟ୍ର ଫେରନ୍ତା ଓ ଜଣେ କୋଲ୍ଲାପୁର ଫେରନ୍ତା ବୋଲି ଜଣାପଡିଛି । ତେବେ ଅନ୍ୟ ସଂକ୍ରମିତ ମାନେ ବେଲଗୁଣ୍ଠା, ବୁଗୁଡା, କେଏସ ନଗର, ଖଲ୍ଲିକୋଟ ଓ ପୋଲସରା ଅଞ୍ଚଳର ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
