ଭୁବନେଶ୍ୱର: ପୁଲିସ ଯାଇଥିଲା ଘଟଣାର ତଦନ୍ତ କରିବାକୁ । ହେଲେ ହେଲା ଲୋକଙ୍କ ଆକ୍ରମଣର ଶିକାର । ଲୋକଙ୍କ ଅତର୍କିତ ଆକ୍ରମଣରେ ୪ ପୁଲିସ କର୍ମଚାରୀ ଗୁରୁତର ଆହତ । ଗୁରୁତରଙ୍କୁ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଇଛି । ଏହି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ତୋରଣପଦା ଗାଁରେ ।
ତୋରଣପଦା ଗାୀଁ ଜନୈକ ଇଟା ଭାଟି ମାଲିକ ଓ ସରପଞ୍ଚଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ବିବାଦ ଚାଲି ଆସୁଥିଲା । ଗତ ଗୁରୁବାର ରାତିରେ ସରପଞ୍ଚଙ୍କ ସମ୍ପର୍କୀୟ ପୁଅକୁ ମାଡ଼ ମାରିଥିବା ଅଭିଯୋଗରେ ଗତକାଲି ଇଟାଭାଟି ମାଲିକଙ୍କ ମା’ ଥାନାରେ ଅଭିଯୋଗ କଲେ। ଅଭିଯୋଗ ଆଧାରରେ ଶୁକ୍ରବାର ରାତିରେ ସାବରଙ୍ଗ ଥାନାର ଜଣେ ମହିଳା କନଷ୍ଟେବଳଙ୍କ ସମେତ ୪ କନଷ୍ଟେବଳ ତୋରଣପଦା ଗାଁକୁ ଯାଇଥିଲେ। ପୁଲିସକୁ ଦେଖି ଗ୍ରାମବାସୀ ଠେଙ୍ଗା, କଟୁରୀ, ପନିକି ଆଦି ଧରି ଗୋଡାଇ ଗୋଡାଇ ମାଡ ମାରିବା ସହ ହାଣିଥିଲେ । ପୁଲିସ କର୍ମଚାରୀ ଜୀବନ ବିକଳରେ ଗାଁ ଛାଡି ଦୌଡିଥିଲେ । ସେମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ଏହି ଘଟଣା ପରେ ତୋରଣପଦା ଗାଁରେ ବ୍ୟାପକ ପୁଲିସ୍ ମୁତୟନ ହୋଇଥିବା ବେଳେ ଏସ୍ଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ପୁଲିସ୍ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୩ ଗ୍ରାମବାସୀଙ୍କୁ ଅଟକ ରଖାଯାଇଛି।