ଭୁବନେଶ୍ୱର: ବର୍ତ୍ତମାନର ଭୁବନେଶ୍ୱର ସାଂସଦ ତଥା ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଡଙ୍ଗୀଙ୍କ ଆଗରେ ଉଭା ହୋଇଛି ନୂଆ ସମସ୍ୟା । ଗଣଶିକ୍ଷା ସଚିବ ଥିବା ସମୟରେ ତାଙ୍କ ନିର୍ଦ୍ଦେଶରେ ହୋଇଥିବା ଶିକ୍ଷା ଅଧିକାର ଆଇନର ଉଲ୍ଲଙ୍ଘନକୁ ନେଇ ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହେବା ସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ଓଡିଶା ଅଭିଭାବକ ମହାସଂଘର ଅଭିଯୋଗ ଅଭିଯୋଗ ଅନୁଯାୟୀ, ଶିକ୍ଷା ଅଧିକାର ଆଇନ ୨୦୦୯-୧୦ର ଧାରା ୧୨ ଅନୁଯାଇ ସମସ୍ତ ଶିକ୍ଷାନୁଷ୍ଠାନରେ ୨୫% ସିଟରେ ଅବହେଳିତ ଶ୍ରେଣୀର ପିଲାମାନେ ମାଗଣାରେ ଶିକ୍ଷାଲାଭ କରିପାରିବେ । । ଏହି ଆଇନ ବଳରେ ୨୦୧୦ ମସିହାରେ କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗର ନିର୍ଦେଶରେ ସମସ୍ତ ଶିକ୍ଷାନୁଷ୍ଠାଗୁଡିକୁ ୨୫% ନିୟମ ଅନୁଯାଇ ୧୫% ଆର୍ଥିକ ଅନଗ୍ରସର ଅଭିଭାବକ ଓ ୧୦% ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହିବ । ଯଦି ସିଟ ଖାଲି ରହିବ ତେବେ କେବଳ ଏହି ଦୁଇ ଅବହେଳିତ ଶ୍ରେଣୀ ମଧ୍ୟରେ ସିଟ ଅଦଳ ବଦଳ ହୋଇ ପାରିବ । ଏହା ବାଦେ ସିଟ ଖାଲି ଥିଲେ ତାହା ବର୍ଷ ତମାମ ଖାଲି ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
କିନ୍ତୁ ନିର୍ଦେଶନାମାର କିଛି ମାସ ପରେ ଡିଏଭି ଚନ୍ଦ୍ରଶେଖରପୁର ପକ୍ଷରୁ ଚିଠି ଜରିଆରେ ସଂରକ୍ଷିତ ସିଟ ଖାଲିପଡିଥିବାରୁ ସେହି ସିଟରେ ସାଧାରଣ ବର୍ଗର ପିଲାଙ୍କୁ ଆଡ଼ମିସନ ଦେବାକୁ ଅନୁମତି ମଗାଯାଇଥିଲା । ତତ୍କାଳୀନ ଶାସନ ସଚିବ ଭାବେ ଅପରାଜିତା ଷଡଙ୍ଗୀ ନିଜର ସ୍ଵଂତନ୍ତ୍ର ଅନୁମତିରେ ଯଦି ଏହି ବର୍ଗର ପିଲା ମିଳୁନାହାଁନ୍ତି ତାହେଲେ ସାଧାରଣ ବର୍ଗର ପିଲାଙ୍କୁ ଆଡ଼ମିସନ ଦେବାକୁ କହିଥିଲେ। ଏହି କ୍ଲାରିଫିକେସନ ଜିଲ୍ଲାପାଳ ମାନଙ୍କୁ ନଦେଇ କେବଳ ସେହି ସ୍କୁଲକୁ ଦେଇଥିଲେ । କାହା ସ୍ୱାର୍ଥରେ ଉକ୍ତ ସ୍କୁଲକୁ ମାଡାମ ଅନୁମତି ଦେଲେ ବୋଲି ଅଭିଭାବକ ସଂଘ ପ୍ରଶ୍ନ କରିଛି ।
ଉକ୍ତ ସ୍କୁଲରେ ଆଡ଼ମିସନ ପାଇଁ ସାଧାରଣ ଜନତା ବହୁ ହଇରାଣ ହେଉଛନ୍ତି । ଏହି ଆଦେଶ ବଳରେ ରାଜ୍ୟର ସମସ୍ତ ଘରୋଇ ସ୍କୁଲ ମ୍ୟାନେଜମେଣ୍ଟ କୋଟା ନାମରେ ଏହି ସିଟକୁ ବିକ୍ରି କରୁଛନ୍ତି । ବିଗତ ୧୦ ବର୍ଷ ହେଲା ଏହି ସିଟ ଗୁଡିକ ବେଆଇନ ଭାବେ ବିକ୍ରି ଚାଲିଛି । ୩୦୦ କୋଟିରୁ ଊଦ୍ଧ୍ୱର୍ ଟଙ୍କା କେବଳ ଡିଏଭି ଗ୍ରୁପ ବେଆଇନ ଭାବେ କମେଇଥିବା ବେଳେ କିନ୍ତୁ ଆର୍ଥିକ ଅନଗ୍ରସର ଓ ଏସସି, ଏସଟି ପିଲା ସେମାନଙ୍କ ଅଧିକାରରୁ ବଞ୍ଚିତ ହୋଇଛନ୍ତି । ଏହାକୁ ନେଇ ସୂଚନା ଅଧିକାର ଆଇନ ଅନୁସାରେ ତଥ୍ୟ ମିଳିବା ପରେ ମାଡାମ ଅପରାଜିତାଙ୍କ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏହି ମହାଦୁର୍ନୀତିରେ ଘରୋଇ ସ୍କୁଲ ଓ ସରକାରୀ ଅଧିକାରୀ ମାଲାମାଲ ହୋଇଛନ୍ତି ଓ ପ୍ରାୟ ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କ ଶିକ୍ଷାଲାଭ ଅଧିକାରରୁ ବଞ୍ଚିତ ହୋଇଛନ୍ତି । ଏହି କେଳେଙ୍କାରୀକୁ ନେଇ ଅଭିଭାବକ ମହାସଂଘ ଗତ ସେପ୍ଟେମ୍ବର ମାସରେ ଡିଏଭି କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଏହି ଅଭିଯୋଗ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିକଟରେ କରିଥିଲା । ହେଲେ ଏ ପର୍ୟ୍ୟନ୍ତ କୌଣସି କାର୍ୟ୍ୟାନୁଷ୍ଠାନ ହୋଇନାହିଁ । ସେମାନଙ୍କ ସହିତ ଭିତିରି ବୁଝାମଣା କରି ଅଭିଯୋଗକୁ ଗଡେଇ ଚାଲିଛି । ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଲକ୍ଷ ଲକ୍ଷ ଅଭିଭାବକମାନଙ୍କୁ ନ୍ୟାୟ ପ୍ରଦାନ କରିବା ପୂର୍ବକ ଏହି ଆଇନକୁ ତୁରନ୍ତ କାର୍ୟ୍ୟକାରୀ କରିବା ସହିତ ଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀ ଓ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ ଓଡିଶା ଅଭିଭାବକ ମହାସଂଘ ଦାବି କରିଛି ।
previous post