(ବର୍ଲିନ): ଦିଲ୍ଲୀରେ ସୃଷ୍ଟି ହୋଇଥିବା ଭୟଙ୍କର ହିଂସା ବିରୋଧରେ ବିଦେଶରେ ଥିବା ଭାରତୀୟମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଲଣ୍ଡନ, ପ୍ୟାରିସ ଓ ଅନ୍ୟ ୧୬ଟି ୟୁରୋପୀୟ ଦେଶରେ ବାସ କରୁଥିବା ଭାରତୀୟମାନେ ବିକ୍ଷୋଭ କରିଛନ୍ତି । ସେମାନେ ବିକ୍ଷୋଭ କରିବା ସହ ହିଂସାକୁ ଉସକାଇଥିବା ଏବଂ ଏଥିରେ ସାମିଲ ଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏଥିସହ ସେମାନେ ମୃତାହତଙ୍କ ପାଇଁ ପ୍ରାର୍ଥନା ମଧ୍ୟ କରିଛନ୍ତି । ବ୍ରସେଲ୍ସ, ଜେନେଭା, ହେଲସିନକି, କାରକାୱ, ଷ୍ଟକହୋମ୍, ଡବଲିନ, ପ୍ୟାରିସ, ବର୍ଲିନ, ମ୍ୟୁନିକ୍, ଗ୍ଲାସଗୋ ଓ ଲଣ୍ଡନ ଭଳି ସ୍ଥାନରେ ହୋଇଥିବା ବିକ୍ଷୋଭରେ ପ୍ରାୟ ୧୫ ଶହରୁ ଅଧିକ ଲୋକ ସାମିଲ ହୋଇଥିଲେ ।
ତେବେ ଉତ୍ତରପୂର୍ବ ଦିଲ୍ଲୀରେ ହୋଇଥିବା ହିଂସାକୁ ବିରୋଧ କରି ବର୍ଲିନରେ ରହୁଥିବୋ ଭାରତର ନାଗରିକମାନେ ଭାରତୀୟ ଦୂତାବାସ ଯାଏ ପ୍ରତିବାଦ ଶୋଭାଯାତ୍ରା କରିଥିଲେ । ସେମାନେ ପୋଲିସର ଅତ୍ୟାଚାର ଓ ସରକାରଙ୍କ ନୀରବତା ଉପରେ ପ୍ରଶ୍ନ ଉଠାଇଛନ୍ତି । ତେବେ ହିଂସାରେ ପ୍ରାଣ ହରାଇଥିବା ଲୋକ ଓ ପୀଡିତଙ୍କ ଉଦ୍ଦେଶ୍ୟରେ ସେମାନେ ଦୂତାବାସ ଆଗରେ ଫୁଲ ତୋଡା ଥୋଇ ସମବେଦନା ଜଣାଇଛନ୍ତି । ବେଲଜିୟମରେ ଥିବା ଭାରତୀୟମାନେ ହାତରେ ପ୍ଲାକାର୍ଡ ଧରି ହିଂସାର ପ୍ରତିବାଦ କରିଛନ୍ତି । କାରକାୱରେ ବିକ୍ଷୋଭକାରୀ କଳା ବ୍ୟାଚ ପିନ୍ଧି ଲୋକଙ୍କୁ ଚା’ ଦେଇ ଏକତାର ବାର୍ତ୍ତା ଦେଇଛନ୍ତି । ସେହିପରି ନେଦରଲ୍ୟାଣ୍ଡରେ ବିକ୍ଷୋଭକାରୀମାନେ ଇଂରାଜୀ ଓ ହିନ୍ଦୀ ଭାଷାରେ କବିତା ପଢି ଦିଲ୍ଲୀ ହିଂସାକୁ ବିରୋଧ କରିବା ସହ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଶାହୀନବାଗ ଆନ୍ଦୋଳନକାରୀଙ୍କୁ ସମର୍ଥନ କରିଛନ୍ତି ।
ସୂଚନାଯୋଗ୍ୟ, ଫେବଋଆରୀ ୨୩ରୁ ୨୬ ଯାଏ ଉତ୍ତରପୂର୍ବ ଦିଲ୍ଲୀରେ ଭୟଙ୍କର ହିଂସାକାଣ୍ଡ ହୋଇଥିଲା । ଏଥିରେ ୪୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେହିପିରି ଏଯାଏ ହିଂସାରେ ସାମିଲ ଓ ଏହାକୁ ଉସକାଇବା ଅଭିଯୋଗରେ ୧୦୦ରୁ ଉଦ୍ଧ୍ୱର୍ ଗିରଫ ହୋଇଛନ୍ତି ।