ଓଡିଶା

ନବରଙ୍ଗପୁର ଆରଟିଓଙ୍କ ଘରେ ଭିଜିଲାନ୍ସ ଚଢାଉ

(ମହାଭାରତ, ନବରଙ୍ଗପୁର): ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ କର୍ମଚାରୀ ପଡିଛନ୍ତି । ନବରଙ୍ଗପୁର ଆରଟିଓ ଗଣେଶ୍ୱର କହଁରଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ହୋଇଛି । ବିପୁଳ ଲାଞ୍ଚ କାରବାର ଅଭିଯୋଗରେ ଏହି ସରକାରୀ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି । ନବରଙ୍ଗପୁରରେ ଥିବା ତାଙ୍କ ଭଡାଘର, ଅଫିସ, ଫୁଲବାଣୀ, ଭୁବନେଶ୍ୱର, ପାରଳାଖେମୁଣ୍ଡିରେ ଥିବା ଘରେ ମଧ୍ୟ ଜୟପୁର ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ ଚାଲିଛି । ଗତମାସ ୨୧ ତାରିଖରେ ନବରଙ୍ଗପୁର ଆରଟିଓଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ସେ ଟଙ୍କା ଫେରାଇବା ପାଇଁ ନିଜ କାର୍ଯ୍ୟାଳୟର ଜଣେ ବ୍ୟକ୍ତିଙ୍କୁ କହୁଥିବା କଥା ସାମ୍ନାକୁ ଆସିଥିଲା । ନିଜ କାର୍ଯ୍ୟାଳୟରେ ଜଣେ ବ୍ୟକ୍ତିଙ୍କୁ ୧୫ ହଜାର ଟଙ୍କା ଫେରାଇବାକୁ କହୁଥିବା ବେଳେ ୩୦ ହଜାର ଟଙ୍କା ନେଇଥିବା ସ୍ୱୀକାର କରିଥିଲେ । ଯାହା ଭିଡିଓ ରେକର୍ଡିଂରେ ଦେଖିବାକୁ ମିଳିଥିଲା । ସ୍ଥାୟୀ ଚାକିରୀ କରାଇଦେବାକୁ ଜଣେ ଯୁବକଙ୍କ ଠାରୁ ନେଇଥିବା ଲାଞ୍ଚ ସମ୍ପର୍କରେ ବଖାଣି ଏବେ ଆରଟିଓ ଜଣକ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଭିଜିଲାନ୍ସ ଟିମ ପକ୍ଷରୁ ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇପାରିନାହିଁ । ଶୁକ୍ରବାର ସକାଳୁ ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢାଉ ଆରମ୍ଭ କରିଥିଲା । ସୂଚନାଯୋଗ୍ୟ, ଫେବୃଆରୀ ୨୨ ତାରିଖରେ ନବରଙ୍ଗପୁର ଆରଟିଓ ଅଫିସରେ କାମ କରୁଥିବା ଡାଟା ଏଣ୍ଟ୍ରି ଅପରେଟର ଲକ୍ଷ୍ମୀନାଥ ହରିଜନ ନବରଙ୍ଗପୁର ଥାନାରେ ଆରଟିଓ ଗଣେଶ୍ୱରଙ୍କ ବିରୁଦ୍ଧରେ ୭୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ କରିଥିଲେ । ଏପରିକି ଫେରାଇବା ପାଇଁ କହିବାରୁ ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ଆଣିଥିଲେ । ଏହାକୁ ଭିତ୍ତି କରି ଭିଜିଲାନ୍ସ ବିଭାଗ ଚଢାଉ କରିଛି ।

Related posts

ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା 

mahabharatanews

ବର୍ଷାରେ ଘର ଭାଙ୍ଗିଥିବା ପରିବାରଙ୍କୁ ମିଳିଲା ପଲିଥିନ

mahabharatanews

ମାଆ ସମଲେଶ୍ବରୀଙ୍କଠାରେ ଲାଗି ହେଲା ନବାନ୍ନ

mahabharatanews