ଓଡିଶା

ସ୍ୱାଧୀନତା ପରେ ମଧ୍ୟ ପହରିଆ ସମ୍ପ୍ରଦାୟଙ୍କୁ ମିଳିନି ଜନଜାତି ମାନ୍ୟତା

କଳାହାଣ୍ଡି: କଳାହାଣ୍ଡି ଜିଲା ସଦରମହକୁମା ବ୍ଲକ ସିକୁଆଁ ପଞ୍ଚାୟତରେ ସ୍ୱାଧୀନତାର ଦୀର୍ଘ ୭୨ ବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ପହରିଆ ବା କମାର ସମ୍ପ୍ରଦାୟର ଲୋକେ । ଏମାନେ ପାହାଡରେ ରହୁଛନ୍ତି ଏବଂ ବଞ୍ଚୁଛନ୍ତି ଅଭିଶପ୍ତ ଜୀବନୟ । ଏହାସହ ଆଦିବାସୀର ମାନ୍ୟତା ମଧ୍ୟ ଏମାନଙ୍କୁ ଏଯାଏ ମିଳିନାହିଁ । ପ୍ରଶାସନ ଏମାନଙ୍କ କଥା ନା ଶୁଣୁଛି ନା ପୂରଣ ହେଉଛି ଦୀର୍ଘ ଦଶନ୍ଧିର ଦାବି । ପଞ୍ଚାୟତକୁ ଶାସନ ସୂତା ଲମ୍ବିଛି ସତ ହେଲେ ଛାଡି ହୋଇଯାଇଛନ୍ତି ବିଜାପଡା ଓ ରୋଜନାପୁରର ପାହାଡିଆ ମଣିଷ । ଦୁଇଟି ଗାଁର ଲୋକସଂଖ୍ୟା ୧୦୦ରୁ ଉର୍ଦ୍ଧ୍ୱ ହେଲେ ମଧ୍ୟ ମୌଳିକ ଅଧିକାର ସହ ଶିକ୍ଷା, ସ୍ୱାସ୍ଥ୍ୟ ଆଜି ବି ଏମାନଙ୍କ ପାଇଁ ଅପହଞ୍ଚ ।

ଗାଁ ନିକଟରେ ଯାଇଛି ପ୍ରଧାନମନ୍ତ୍ରୀ ସଡକ ଯୋଜନା ଆଉ କିଛି ଲୋକଙ୍କ ପାଖରେ ପହଞ୍ଚିିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ବ୍ରିଟିଶ ଶାସନ ସମୟରେ ଏମାନଙ୍କୁ ଆଦିବାସୀ ଜନଜାତିର ମାନ୍ୟତା ମିଳିଥିଲା । କିନ୍ତୁ ଭାରତ ସ୍ୱାଧୀନ ହେବା ପରେ ଏମାନେ ଆଦିବାସୀ ଜନଜାତିର ମାନ୍ୟତା ପାଇଁ ସଂଘର୍ଷ କରିଆସୁଛନ୍ତି ।ଏମାନେ ରାଜ୍ୟରେ ପଛୁଆ ବର୍ଗ ଭାବେ ପରିଗଣିତ । ମାତ୍ର ସରକାରଙ୍କ ଅନେକ ଯୋଜନା ଏହି ଅଞ୍ଚଳବାସୀଙ୍କୁ ମିଳିପାରୁନାହିଁ । ସେପଟେ ପଡୋଶୀ ଛତିଶଗଡ ରାଜ୍ୟରେ ଏହି ବର୍ଗର ଲୋକଙ୍କୁ ଆଦିବାସୀ ଜନଜାତିର ମାନ୍ୟତା ମିଳିସାରିଛି । ଜିଲାରେ ପହରିଆ ସମ୍ପ୍ରଦାୟ ଶିକ୍ଷାରୁ ବଞ୍ଚିତ ଥିବା ବେଳେ ବିଜାପଡାର ପାର୍ବତୀ ପହରିଆ ହିଁ ଏକମାତ୍ର ଛାତ୍ରୀ ଯିଏକି ଅଷ୍ଟମ ଯାଏଁ ପଢିଛନ୍ତି । ପରିବାର ପ୍ରତିପୋଷଣର ବୋଝ ଆଜି ତାଙ୍କୁ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ କରିଛି ।

ଜଙ୍ଗଲରୁ ବାଉଁଶ ସଂଗ୍ରହ କରି ବିଭିନ୍ନ ଘରୋଇ ଉପକରଣ ପ୍ରସ୍ତୁତ କରିବା ପହରିଆ ସମ୍ପ୍ରଦାୟଙ୍କ ମୁଖ୍ୟ ବେଉଷା । ଦିନକୁ ଦିନ ଜଙ୍ଗଲ ହ୍ରାସ ପାଇବା ସହ, ପ୍ଲାଷ୍ଟିକ ଯୁଗରେ ଏମାନଙ୍କ ବୃତ୍ତିିରେ ପଡିଗଲାଣି ବେଡି । ଯାହାଫଳରେ ପରିବାର ଚଳାଇବାକୁ ଏଠାକାର ଅଞ୍ଚଳବାସୀ ଏବେ ଦାଦନ ମୁହାଁ । ରୋଗର ଚିକିତ୍ସା ପାଇଁ ଏଠାକାର ଲୋକଙ୍କୁ ଗୁଣିଆ ସାହା । ଏ ସମ୍ପର୍କରେ ଡିଆରଡିଏଙ୍କର ଦୃଷ୍ଟି ଆକର୍ଷଣ କରିବାରୁ ସେ ଏହି ଜନଜାତିର ସାମଗ୍ରିକ ବିକାଶ ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି ।

Related posts

ଶାନ୍ତିପଡାରେ ଏକ ଆତ୍ମହତ୍ୟା

mahabharatanews

ନାବାଳିକାକୁ ଅପହରଣ କରି ବଳି ଦେବା ଉଦ୍ୟମ, ତିନି ଅଭିଯୁକ୍ତ ଗିରଫ

mahabharatanews

ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

mahabharatanews