(ମହାଭାରତ, ଜଳେଶ୍ୱର): ବାଲେଶ୍ୱର ଜିଲ୍ଲାରେ ବ୍ରାଉନସୁଗାର ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି । ଏହି ଧଳା ଜହର କାରବାର ଉପରେ ରୋକ ଲଗାଇବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି । ଏହି କ୍ରମରେ ଜଳେଶ୍ୱର ଥାନା ପୋଲିସକୁ ଏକ ବଡ ସଫଳତା ମିଳିଛି । ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁରରେ ପୋଲିସ ଓ ଏସଟିଏଫ ଟିମ ପକ୍ଷରୁ ମିଳିତ ଚଢାଉ ବେଳେ ବ୍ରାଉନସୁଗାର ଜବତ ହୋଇଛି । ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ଝାଡେଶ୍ୱରପୁର ଅଞ୍ଚଳରେ ରାଜପୁର ବସ୍ତିର ସେକ୍ ଏକଲାକ୍ଙ୍କ ଭଡାଘରେ ବ୍ରାଉନସୁଗାର ଥିବା ପୋଲିସକୁ ସୂଚନା ମିଳିଥିଲା । ପରେ ଜଳେଶ୍ୱର ପୋଲିସ ଓ ଏସଟିଏଫ ଟିମ୍ ମିଳିତ ଭାବେ ଏଠାରେ ଚଢାଉ କରିଥିଲେ । ଏହି ଚଢାଉ ବେଳେ ପୋଲିସ ୩୦୦ ଗ୍ରାମ ବ୍ରାଉନସୁଗାର ଏଠାରୁ ଜବତ କରିଛି । ଧଳା ଜହର କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ପୋଲିସ ସେଠାରୁ ଗିରଫ କରିଛି । ତେବେ ଚଢାଉ ବିଷୟରେ ଖବର ପାଇ କିଛି ଚାଲାଣକାରୀ ଏଠାରୁ ଫେରାର ହୋଇଥିଲେ । ତେବେ ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷରୁ ଉଦ୍ଧ୍ୱର୍ ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ଅଞ୍ଚଳରେ ଧଳାଜହର କାରବାର ଓ ଏଥିରେ ସମ୍ପୃକ୍ତ ଚାଲାଣକାରୀଙ୍କ ଚେର କେତେ ଦୂର ଲମ୍ବିଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।
previous post
