(ମହାଭାରତ): ମାତୃତ୍ୱ ନିକଟରେ ସମସ୍ତ ପ୍ରତିବନ୍ଧକ, ବାଧା ବିଘ୍ନ ତୁଛ । ନିଜ ସନ୍ତାନର କଲ୍ୟାଣ ଓ ମଙ୍ଗଳ ପାଇଁ ମା ସର୍ବଦା ପ୍ରସ୍ତୁତ । ସନ୍ତାନର ଦୁଃଖ ତାକୁ ମାନସିକ ଆଘାତ ଦେଇଥିଲେ ମଧ୍ୟ ତା ମଧ୍ୟରେ ଶତ ସିଂହର ବଳ ଭରିଦିଏ । ନିଜ ସନ୍ତାନର ପ୍ରାଣ ରକ୍ଷା କରିବାକୁ ସେ କିଛି ବି କରିପାରେ । ଏହାର ଏକ ଉଦାହରଣ ତେଲେଙ୍ଗାନାରେ ଦେଖିବାକୁ ମିଳିଛି । ଲକଡାଉନର କଟକଣା ମଧ୍ୟ ମା’କୁ ବାନ୍ଧିରଖିପାରିନି ତା ପିଲାକୁ ସୁରକ୍ଷିତ ଘରେ ପହଞ୍ଚାଇବାରେ ।
ସୂଚନାଯୋଗ୍ୟ, ତେଲେଙ୍ଗାନାର ନିଜାମାବାଦରେ ରହୁଥିବା ୫୦ ବର୍ଷୀୟ ଶିକ୍ଷୟତ୍ରୀ ରଜିଆ ବେଗମଙ୍କ ସାନ ପୁଅ ଆନ୍ଧ୍ରପ୍ରଦେଶର ନେଲୋରରେ ପଢୁଥିଲେ। ଲକଡାଉନ ପରେ ସମସ୍ତ ଗାଡି ମୋଟର, ଟ୍ରୋନ, ବସ ଚଳାଚଳ ବନ୍ଦ ହୋଇଯାଇଥିଲା । ପୁଅ ଘରକୁ ଫେରିବାର ସମସ୍ତ ବାଟ ବନ୍ଦ । ପରିବାରର ଅନ୍ୟମାନେ ଚିନ୍ତିତ ବସିରହିଥିଲେ । କିନ୍ତୁ ରଜିଆ ବେଗମ ବସି ନ ଥିଲେ । ସେ ପୁଆକୁ ଆନ୍ଧ୍ର ପ୍ରଦେଶରୁ ଆଣିବାକୁ ନିଜେ ବାହାରି ପଡିଥିଲେ ତାଙ୍କ ସ୍କୁଟରରେ । ଏଥିନେଇ ସେ ସୋମବାର ସ୍ଥାନୀୟ ପୋଲିସଙ୍କଠାରୁ ଏକ ଅନୁମତି ପତ୍ର ଆଣିଥିଲେ। ଏହାପରେ ନିଜ ଘରଠୁଁ ୭୦୦ କିଲୋମିଟର ଦୂରରେ ଥିବା ନେଲୋର ଅଭିମୁଖେ ବାହାରି ପଡିଥିଲେ। ହାଇଓ୍ବେ ଓ ଶୂନଶାନ ରାସ୍ତା ଦେଇ ଶେଷରେ ରଜିଆ ନିଜ ପୁଅଙ୍କୁ ସ୍କୁଟିରେ ଧରି ବୁଧବାର ଘରକୁ ଫେରିଥିଲେ। ଏଥିନେଇ ତାଙ୍କୁ ଲାଗିଥିଲା ପୂରା ୩ ଦିନ । ଏହି ମା’ଙ୍କ ସାହସ ଓ ବୁଦ୍ଧମତା ନିକଟରେ ମଥା ନଇଁ ଯାଉଛି ।