ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କବଳରେ ୨୧୦ଟି ଦେଶ । ଏହି ମହାମାରୀ ପାଇଁ ନା କୌଣସି ଔଷଧ ଅଛି ନା ଭ୍ୟାକ୍ସିନ । ଫଳରେ ଏହା ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ତେଣୁ ବିଶ୍ୱର ବିକାଶଶୀଳ ଦେଶ ଔଷଧ ଓ ଭ୍ୟାକ୍ସିନ ବାହାର କରିବାରେ ଲାଗିପଡିଛନ୍ତି । କିନ୍ତୁ ଏହି ଭ୍ୟାକ୍ସିନକୁ ନେଇ କିଛି ଗବେଷକ କହିଛନ୍ତି କରୋନା ପାଇଁ ଭ୍ୟାକ୍ସିନ ବା ଟିକା ଯଥେଷ୍ଟ ନୁହେଁ । କାରଣ ଏହାର ସଂକ୍ରମଣ ଏତେ ଦ୍ରୁତ ଗତିରେ ବ୍ୟାପୁଛି, ଯେଉଁଥିରେ ଭ୍ୟାକ୍ସିନ ଏହାକୁ ଆୟତ୍ତ କରିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଗବେଷଣାର ୭୫ ପ୍ରତିଶତ ଗବେଷକ ଏହାର କ୍ଲିନିକାଲ ଟ୍ରାଏଲ କରିବା ଲକ୍ଷ୍ୟରେ ଅଛନ୍ତି । ଅକ୍ସଫୋର୍ଡ ୟୁନିଭର୍ସିଟି ଏମିତି କିଛି ଟିକା ମଣିଷ ଉପରେ ପରୀକ୍ଷା ଆରମ୍ଭ କରିଥିବା କହିଛି । ଏଥିରେ ଭାରତୀୟ ବିଶେଷଜ୍ଞମାନେ ବି ସାମିଲ ଅଛନ୍ତି । ଏହି ଗବେଷଣାରେ ସାମିଲ ଥିବା ପୁଣେ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍ ଭିରୋଲୋଜି(ଏନ୍ଆଇଭି)ର ଜଣେ ବିଶେଷଜ୍ଞ କହିଛନ୍ତି, ଗତ ୧୭ ବର୍ଷରେ ଆଉ ଦୁଇଟି କରୋନା ଭାଇରସ ସାର୍ସ ଓ ମର୍ସକୁ ବି ଆମେ ଦେଖିଛୁ । ହେଲେ କରୋନା ଭାଇରସ ଏହାଠାରୁ ବେଶ୍ ଅଧିକ ଗୁଣ ସଂକ୍ରମଣ ହେବାର କ୍ଷମତା ରଖିଛି । ତେଣୁ ଭ୍ୟାକସିନ ବା ଟିକା ଦ୍ୱାରା ଏହାକୁ ମୂଳପୋଛ କରିବା ଅସମ୍ଭବ ମନେ ହେଉଛି । ସେ କହିଛନ୍ତି କରୋନା ସଂକ୍ରମଣକୁ ରୋକିବାକୁ ହେଲେ ଆମକୁ ଅଧିକ ଆଣ୍ଟିଭାଇରାଲ ଔଷଧ ସହ ଦୀର୍ଘଦିନ ପର୍ଯ୍ୟନ୍ତ ସାମାଜିକ ଦୂରତ୍ୱକୁ ପାଳନ କରିବାକୁ ପଡିବ ।
previous post
