ଭାରତ

ଜେଜେବାପାଙ୍କ ସମ୍ପତ୍ତିରେ ସ୍ୱତନ୍ତ୍ର ଭାଗ ମାଗିପାରିବେନି ନାତି! ; ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ଜେଜେବାପାଙ୍କ ସମ୍ପତ୍ତିରେ ନାତିଙ୍କର ରହିଛି କି ଜନ୍ମଗତ ଅଧିକାର? ବାପା ଜୀବିତ ଥିବାବେଳେ ଜେଜେବାପାଙ୍କ ସମ୍ପତ୍ତିରେ ନାତି ଭାଗ ଦାବି କରିପାରିବେ କି? ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ପ୍ରଶ୍ନ ଉପରେ ସ୍ପଷ୍ଟ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ହିନ୍ଦୁ ଉତ୍ତରାଧିକାର ଆଇନ, ୧୯୫୬ର ଧାରା ୮ ଅନୁଯାୟୀ, ବାପା ଜୀବିତ ଥିବା ସମୟରେ ନାତିଙ୍କର ଜେଜେବାପାଙ୍କ ସମ୍ପତ୍ତି ଉପରେ ସ୍ୱତନ୍ତ୍ର ଉତ୍ତରାଧିକାର ଅଧିକାର ନାହିଁ।

ଜଷ୍ଟିସ୍ ଜର୍ଜ ଅଗଷ୍ଟିନ୍ ମାସିହ ଓ ଜଷ୍ଟିସ୍ ସୁନିତା ଅଗ୍ରୱାଲଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। କୋର୍ଟଙ୍କ ଅନୁସାରେ, ଜଣେ ହିନ୍ଦୁ ପୁରୁଷ ବିନା ଇଚ୍ଛାପତ୍ରରେ ମୃତ୍ୟୁବରଣ କଲେ, ତାଙ୍କ ସମ୍ପତ୍ତି ଆଇନ ଅନୁଯାୟୀ ପ୍ରଥମ ଶ୍ରେଣୀର ଉତ୍ତରାଧିକାରୀ ବା କ୍ଲାସ୍‌-୧ ହିୟର୍ସଙ୍କ ମଧ୍ୟରେ ବଣ୍ଟନ ହୋଇଥାଏ। ଏଥିରେ ପୁଅ, ଝିଅ, ପତ୍ନୀ ଏବଂ ପୂର୍ବରୁ ମୃତ ପୁଅଙ୍କ ସନ୍ତାନ ସାମିଲ ହୋଇଥାନ୍ତି। କିନ୍ତୁ ଜୀବିତ ପୁଅଙ୍କ ପୁଅ ଅର୍ଥାତ୍ ନାତିଙ୍କୁ ସ୍ୱତନ୍ତ୍ର ଉତ୍ତରାଧିକାରୀ ଭାବେ ଏହି ତାଲିକାରେ ସ୍ଥାନ ଦିଆଯାଇନାହିଁ।

ଏହି ମାମଲାରେ ଜେ. ରାଜେଶ ନାମକ ଜଣେ ବ୍ୟକ୍ତି ନିଜ ବାପାଙ୍କ ଦ୍ୱାରା ଜେଜେବାପାଙ୍କ ସମ୍ପତ୍ତି ବିକ୍ରିକୁ ଚ୍ୟାଲେଞ୍ଜ କରିଥିଲେ। ସମ୍ପତ୍ତିରେ ତାଙ୍କର ମଧ୍ୟ ଭାଗ ରହିଛି ଏବଂ ତାଙ୍କ ସମ୍ମତି ବିନା ବାପା ଜମି ବିକ୍ରି କରିପାରିବେ ନାହିଁ ବୋଲି ସେ ଯୁକ୍ତି ରଖିଥିଲେ। ପ୍ରଥମେ ମାଡ୍ରାସ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଥିଲେ। ଏହାପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ତେବେ ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ଜେଜେବାପାଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପତ୍ତି ଆଇନ ଅନୁସାରେ କ୍ଲାସ୍‌-୧ ଉତ୍ତରାଧିକାରୀଙ୍କ ମଧ୍ୟରେ ବଣ୍ଟନ ହୋଇଥିଲା। ଏଥିରେ ବାପାଙ୍କୁ ମିଳିଥିବା ଅଂଶ ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି ହୋଇଥିଲା। ତେଣୁ ସେହି ସମ୍ପତ୍ତିରେ ନାତି ନିଜକୁ ସ୍ୱତନ୍ତ୍ର ଭାଗୀଦାର ଦାବି କରିପାରିବେ ନାହିଁ।

କୋର୍ଟ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ୧୯୫୬ ମସିହାରେ ହିନ୍ଦୁ ଉତ୍ତରାଧିକାର ଆଇନ ଲାଗୁ ହେବା ପରେ ପୂର୍ବରୁ ପ୍ରଚଳିତ ହିନ୍ଦୁ ବ୍ୟକ୍ତିଗତ ଆଇନରେ ଥିବା ନାତିଙ୍କ ଅଧିକାର ସେହି ରୂପରେ ଆଉ ସଂରକ୍ଷିତ ରହିନାହିଁ।

ତେବେ ଏହି ରାୟର ଅର୍ଥ ଏହା ନୁହେଁ ଯେ, ସବୁ ପ୍ରକାର ପୈତୃକ ସମ୍ପତ୍ତିରେ ନାତିଙ୍କର କୌଣସି ଅଧିକାର ନାହିଁ। ଯୌଥ ହିନ୍ଦୁ ପରିବାରର ସହଭାଗୀ ସମ୍ପତ୍ତି ଏବଂ ଧାରା ୮ ଅନୁଯାୟୀ ଉତ୍ତରାଧିକାରରେ ମିଳୁଥିବା ସମ୍ପତ୍ତିର ଆଇନଗତ ସ୍ଥିତି ଭିନ୍ନ ହୋଇପାରେ। ତେଣୁ ସମ୍ପତ୍ତି ସମ୍ବନ୍ଧୀୟ ବିବାଦରେ ନିର୍ଦ୍ଦିଷ୍ଟ ଦଲିଲ, ସମ୍ପତ୍ତିର ପ୍ରକୃତି ଏବଂ ପରିବାରର ଉତ୍ତରାଧିକାର ସ୍ଥିତି ଯାଞ୍ଚ କରିବା ଜରୁରୀ।

Related posts

ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ ଜାରି

mahabharatanews

ବିପଦ ସଂଙ୍କେତ ଛୁଇଁଲା ଯମୁନା ଜଳସ୍ତର, ଜନଜୀବନ ଅସ୍ତବ୍ୟସ୍ତ

mahabharatanews

ଆଜି ଘୋଷଣା ହେବ ଲୋକସଭା ନିର୍ବାଚନ ତାରିଖ 

mahabharatanews