(ଜଳେଶ୍ୱର /ଅଜିତ ସାହୁ): ଚାରି ଫୁଟର ଚାରି ଫୁଟ ଦଦରା ଭଙ୍ଗା କାଠ କେବିନ ଭିତରେ ବଞ୍ଚିବାର ରାହା ଖୋଜି ଚାଲିଛନ୍ତି ଚାରିଟି ଜୀବନ । ଦୀର୍ଘ ବର୍ଷ ଧରି ସହରର ପ୍ରାଚୁର୍ୟ୍ୟ ଭିତରେ ମୁଣ୍ଡ ଗୁଞ୍ଜିବାକୁ ଜାଗାଟିଏ ନ ପାଇ ଶେଷରେ ଏକ ଛୋଟ ଭଙ୍ଗା କେବିନ ରେ ଆଶ୍ରୟ ନେଇଛନ୍ତି ଦୁଇ କୋମଳ ମୋତି ଶିଶୁ ସହିତ ସେମାନଙ୍କର ବାପା ଓ ମାଆ । ଚାରି ପ୍ରାଣୀଙ୍କ ପାଇଁ ଜୀବନ ସତେ ଯେମିତି ଅଭିଶପ୍ତ ଜୀବନ। ସରକାରଙ୍କ ମାଳ ମାଳ ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ। ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ସହରର ବଡ଼ ବଜାର ଅଞ୍ଚଳରେ । ସୂଚନା ଥାଉକି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ସହରର ବଡ଼ ବଜାର ହେଉଛି ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମାନ୍ତରେ ଥିବା ଆନ୍ତଃରାଜ୍ୟ ବାଣିଜ୍ୟିର ପେଣ୍ଠସ୍ଥଳ। ଏହା ଜଳେଶ୍ଵର ମୁନସିପାଲଟି ଅଧୀନରେ ଥିବା ୧୭ ଟି ଗୋଟି ଓ୍ଵାର୍ଡ ମଧ୍ୟରୁ ସବୁଠୁ ସମ୍ରୁଦ୍ଧ ଅଞ୍ଚଳ । ଯଉଁଠି ରହିଛି ବିଶାଳ ବିଶାଳ ମଲ ଓ ଅଟ୍ଟାଳିକା । ବଡ଼ ବଜାର ନିକଟରେ ରହିଛି ଐତିହସିକ ବାରମୁହାଁ ପୋଲ । ଏହି ପୋଲକୁ ଲାଗି ରହିଛି ଚାରି ବାଇ ଚାରିର ଛୋଟ ଅପରିତ୍ୟକ୍ତ ଦଦରା କାଠ କେବିନ ଟିଏ। ସେହି ଭଙ୍ଗା ଦଦରା କେବିନରେ ଦୀର୍ଘ ବର୍ଷ ଧରି କୁନା ମଲ୍ଲିକ ଓ ତାର ସ୍ତ୍ରୀ ଦୁଇ କୁନି ପିଲାଙ୍କୁ ଧରି ରହିଆସୁଛି। ପୁରୁଣା ବାରମୁହାଁ ପୋଲ ତଲେ କୁନାର ଜନ୍ମ , ସେଇଠି ବିତିଛି ତାର ଶୈଶବ ରୁ ଯୌବନ। ପୋଲଟି ଭାଙ୍ଗି ନୂତନ ଭାବେ ହେବାରୁ ସେମାନେ ଆଶ୍ରୟ ନେଇଛନ୍ତି ଏହି କେବିନ ରେ , ଜଣେ ସ୍ଥାନୀୟ ଦରଦୀ ଦୋକାନୀ ନିଜର ଭଙ୍ଗା କେବିନ ଟି ସେମାନଙ୍କ ଦୁଖସହି ନପାରି ,ଦେଇ ଥିବା ଜଣା ପଡିଛି । ସ୍ଵାମୀ ସ୍ତ୍ରୀ ସହରର ଓଳିଆ ଗଦା ଭିତରୁ ପ୍ଲାଷ୍ଟିକ ଓ ଲୁହା ସଂଗ୍ରହ କରି ତାକୁ ବିକ୍ର କରି ଚାରି ପ୍ରାଣୀ ବହୁ କଷ୍ଟରେ ଚଳନ୍ତି । ସମସ୍ତଙ୍କୁ ସରକାର ସହାୟତା ଦେଉଥିବା ବେଳେ ଏମାନେ କାହିଁକି ବଞ୍ଚିତ।ଦୀର୍ଘ ବର୍ଷ ଧରି ଅତି ଦୟନୀୟ ଭାବେ ଜୀବନ ଜାପାନ କରୁଥିଲେ ବି କାହିଁକି ସ୍ଥାନୀୟ ପ୍ରଶାଶନ, ସ୍ଥାନୀୟ ନେତା କୌଣସି ସରକାରୀ ସହାୟତା ଦେଇନାହାନ୍ତି ,ଉଠିଛି ଏକ ବଡ଼ ପ୍ରଶ୍ନ। ନା ସମସ୍ତେ ଜାଣି ଶୁଣି ନୀରବ ରହିଛନ୍ତି । କୁଆଡ଼େ ଗଲା ସରକାରଙ୍କ ସହର ତଳି ଲୋକଙ୍କୁ ସହାୟତା କରିବା ଯୋଜନା ? ନା ବଡ଼ ବଢ଼ିଆ ମାନେ ଜାଣି ଶୁଣି ଏମାନଙ୍କ ଯୋଜନାକୁ ହଡ଼ପ କରିଛନ୍ତି ? କେଵେ ଏମାନେ ପାଇବେ ଏମାନଙ୍କର ହକ ? ଏ ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚା ଜୋର ଧରିଛି ।
ଏନେଇ ଜଳେଶ୍ବର ମୁନିସିପାଲଟି ଅଧିକାରୀଙ୍କୁ ପଚାରିବାରୁ, ସେ ଏ ବିଷୟରେ ଜାଣିନାହାନ୍ତି, ତେବେ ଘଟଣାର ତଦନ୍ତ କରାଯାଇ ସରକାରୀ ସହାୟତା ଯୋଗାଇ ଦେବାର ପ୍ରତିଶୃତି ଦେଇଛନ୍ତି।
