ଇସଲାମାବାଦ: ପାକିସ୍ତାନରେ ଶାହ ହୁସେନ୍ ଯାତ୍ରୀବାହୀ ଟ୍ରେନ୍ ଏବଂ ଏକ ବସ୍ ମଧ୍ୟରେ ଧକ୍କା ହେବାରୁ ପ୍ରାୟ ୧୯ ଶୀଖ୍ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ଫାରୁକାବାଦ (ପଞ୍ଜାବ)ରେ ହୋଇଛି । ଉଦ୍ଧାର ଅଧିକାରୀଙ୍କ କହିବାନୁସାରେ, ଏହି ଦୁର୍ଘଟଣାରେ ଅତି କମରେ ୮ ଜଣ ଆହତ ହୋଇଛନ୍ତି, ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶେଖୁପୁରା ସ୍ଥାନାନ୍ତର କରାଯାଇଛି । ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଦୁର୍ଘଟଣା ସ୍ଥଳରେ ପହଞ୍ଚିିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।
ଶେଖପୁରା ଜିଲ୍ଲାର ଶୀଖ ଭକ୍ତମାନେ ଧାର୍ମିକ ରୀତିନୀତି ପରେ ଗୁରୁଦ୍ୱାର ସଚ୍ଚା ସାଉଦାକୁ ବସ ଯୋଗେ ଫେରୁଥିଲେ । ଅପରାହ୍ନ ୧ ଟା ୩୦ରେ ଫାଟକ ବିହୀନ ଲେବୁଲ କ୍ରସିଂ ବସଟି ଅତିକ୍ରମ କରୁଥିବା ବେଳେ ଟ୍ରେନ ସହ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ବିଭାଗୀୟ ଇଞ୍ଜିନିୟରଙ୍କୁ ନିଲମ୍ବନ କରାଯାଇଛି । ଡିପିଓଙ୍କ କହିବା ଅନୁଯାୟୀ ଡ୍ରାଇଭର କ୍ରସିଂରେ ଅପେକ୍ଷା କରିବା ପରିବର୍ତ୍ତେ ସର୍ଟକଟ୍ ନେବାକୁ ଚେଷ୍ଟା କରିଥିଲା, ଯାହାଫଳରେ ଦୁର୍ଘଟଣା ଘଟିଥିଲା । ତଦନ୍ତ ପରେ ହିଁ ତଥ୍ୟ ସ୍ପଷ୍ଟ ହେବ । ଏହି ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରେଳମନ୍ତ୍ରୀ ଶେଖ ରସିଦ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ଇମରାନ ଖାନ ଅସୁସ୍ଥଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ସେମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
previous post
next post