ନୂଆଦିଲ୍ଲୀ: ଆୟକର ଫାଙ୍କିବା, ବିଦେଶରୁ ପାଣ୍ଠି ସଂଗ୍ରହ ଅଭିଯୋଗରେ ଗାନ୍ଧୀ ପରିବାରର ୩ଟି ଟ୍ରଷ୍ଟ ଏବେ କେନ୍ଦ୍ର ସ୍କାନରରେ । ରାଜୀବ ଗାନ୍ଧୀ ଫାଉଣ୍ଡେସନ, ରାଜୀବ ଗାନ୍ଧୀ ଚ୍ୟାରିଟେବୁଲ ଟ୍ରଷ୍ଟ ଓ ଇନ୍ଦିରା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟ ନିୟମକୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ଏହି ୩ଟି ଯାକ ଟ୍ରଷ୍ଟ ଗାନ୍ଧୀ ପରିବାରର ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହେଉଛି। ଏଥିନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଇଣ୍ଟର ମିନିଷ୍ଟରିଆଲ କମିଟି ଗଠନ କରିଥିବା ମନ୍ତ୍ରଣାଳୟର ମୁଖପାତ୍ର ସୂଚନା ଦେଇଛନ୍ତି।
ତଦନ୍ତ ବେଳେ ହୋଇଥିବା ଅଭିଯୋଗକୁ ପ୍ରିଭେନସନ ଅଫ ମନିଲଣ୍ଡରିଂ ଆକ୍ଟ, ଆୟକର ଆଇନ ଓ ବିଦେଶି ପାଣ୍ଠି ଯୋଗାଣ ଆଇନ ଉଲ୍ଲଙ୍ଘନ ଆଦିର ଅନ୍ତର୍ଭୁକ୍ତ କରାଯିବ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର ନିର୍ଦ୍ଦେଶକ ତଦନ୍ତ କମିଟିର ମୁଖ୍ୟ ରହିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ରାଜୀବ ଗାନ୍ଧୀ ଫାଉଣ୍ଡେସନ ୧୯୯୧ରେ ପ୍ରତିଷ୍ଠା ହୋଇଥିବା ବେଳେ ୨୦୦୨ରେ ରାଜୀବ ଗାନ୍ଧୀ ଚ୍ୟାରିଟେବୁଲ ଟ୍ରଷ୍ଟ ତିଆରି କରାଯାଇଥିଲା। ଏହି ଦୁଇ ସଂସ୍ଥାର ମୁଖ୍ୟ ସୋନିଆ ଗାନ୍ଧୀ ରହିଛନ୍ତି। ରାଜୀବ ଗାନ୍ଧୀ ଫାଉଣ୍ଡେସନର ବୋର୍ଡ ସଦସ୍ୟ ଭାବେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ପି ଚିଦାମ୍ବରମ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ରହିଛନ୍ତି। ବିଜେପି ଅଭିଯୋଗ କରିଛି ଯେ ୧୯୯୧ ବଜେଟ ଭାଷଣ ବେଳେ ତତ୍କାଳୀନ ଅର୍ଥମନ୍ତ୍ରୀ ମନମୋହନ ସିଂହ ରାଜୀବ ଗାନ୍ଧି ଫାଉଣ୍ଡେସନକୁ ୧୦୦ କୋଟିର ଟଙ୍କା ମଞ୍ଜୁର କରିଥିଲେ। ଏହାର ଅର୍ଥ ବର୍ଷକୁ ୨୦ କୋଟି ଲେଖାଏ ଟଙ୍କା ଫାଉଣ୍ଡେସନକୁ ଦିଆଯାଇଥିଲା। ଏପରି କି ଚାଇନାରୁ ଟଙ୍କା ଫାଉଣ୍ଡେସନକୁ ଆସିଥିବା ବିଜେପି ଅଭିଯୋଗ କରିଛି ।
previous post
