ରାଜନୀତି

କୋଭିଡ ନିୟମକୁ ସାଂସଦ ମାନିଲେନି

ଭୁବନେଶ୍ୱର/ ଶିଳାସ୍ମିତା ରାୟ: ଆଜି ରାଜ୍ୟସଭା ସଦସ୍ୟ ଭାବେ ୨୦ ରାଜ୍ୟର ୬୧ ନବନିର୍ବାଚିତ ସାଂସଦଙ୍କ ମଧ୍ୟରୁ ୪୩ ଜଣ ଶପଥପାଠ କରିଛନ୍ତି । କରୋନା କଟକଣା ପାଇଁ ଶପଥ ପାଠ ସମାରୋହରେ ବିଳମ୍ବ ହୋଇଥିଲେ ମଧ୍ୟ ଶେଷରେ ଆଜି ଏହାର ଆୟୋଜନ ହୋଇଛି । ତେବେ ପାର୍ଲିଆମେଣ୍ଟ ବର୍ତ୍ତମାନ ବନ୍ଦ ଥିବାରୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଚାମ୍ବରରେ ସ୍ୱଳ୍ପ ଅତିଥିଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇଛି । କିନ୍ତୁ ଏହି କାର୍ଯ୍ୟକ୍ରମରେ ଏକ ବ୍ୟତିକ୍ରମ ନଜରକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି । କରୋନା ମହାମାରୀ ପାଇଁ ସାଧାରଣ ଲୋକ ମାସ୍କ ନ ପିନ୍ଧି ଜରିମାନା, ପୁଲିସର ଲାଠି ପ୍ରହାରର ସମ୍ମୁଖୀନ ହେଉଥିବା ବେଳେ ଶପଥପାଠ ସମୟରେ ପ୍ରାୟତଃ ଅଧିକାଂଶ ନବନିର୍ବାଚିତ ସାଂସଦଙ୍କ ବେକରେ ମାସ୍କ ଓହଳୁ ଥିଲା । ଶପଥପାଠ ପାଇଁ ବେକରେ ମାସ୍କ ହୁଏତ ଥିବା କୁହାଯାଇ ପାରେ । କିନ୍ତୁ ଆମ ୪ ଓଡିଆ ସାଂସଦଙ୍କ ମଧ୍ୟରୁ ମୁନ୍ନା ଖାଁ ଓ ସୁବାଶ ସିଂଙ୍କ ବେକରେ ମଧ୍ୟ ମାସ୍କ ନ ଥିଲା ।
ବର୍ତ୍ତମାନ ଦେଶରେ କରୋନା ସ୍ଥିତି ଭୟଙ୍କର ରୂପ ନେଇଛି । ଦୈନିକ ଚିହ୍ନଟ ସଂକ୍ରମିତଙ୍କ ସଂଖ୍ୟା ୩୫ ହଜାରରୁ ୩୮ ହଜାର ମଧ୍ୟରେ ରହୁଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧିପାଇ ଦୈନିକ ୬୫୦କୁ ଟପିଗଲାଣି । ଏପରି ସମୟରେ କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଚାଲିଛି କସରତ । କେଉଁଠି ଲକଡାଉନ, କେଉଁଠି ସଟଡାଉନ । ଏହା ବାଦ୍ ମାସ୍କ ପରିଧାନ, ହାତ ସାନିଟାଇଜେସନ, ସାମାଜିକ ଦୂରତ୍ୱକୁ କଡାକଡି ଲାଗୁ କରାଯାଇଛି । କିନ୍ତୁ ଆମ ଜନପ୍ରତିନିଧି ଶପଥ ଗ୍ରହଣ କାଳରେ ମାସ୍କ ପିନ୍ଧି ନାହାନ୍ତି । ଶ୍ରୀଯୁକ୍ତ ଭେଙ୍କେୟା ନାଇଡୁ ମାସ୍କ ପରିଧାନା କରିଥିବା ଦେଖିବାକୁ ମିଳୁଥିବା ବେଳେ କିନ୍ତୁ ଶପଥ ନେଉଥିବା ଅଧିକାଂଶଙ୍କ ବେକରେ ଝୁଲିଛି ମାସ୍କ । ତେବେ ଆମ ଅତି ପରିଚିତ ମୁନ୍ନା ଖାଁ ଓ ସୁବାଶ ବାବୁଙ୍କ କ୍ଷେତ୍ରରେ ଏତିକି ମଧ୍ୟ ଦେଖିବାକୁ ମିଳିନଥିଲା ।
ଶପଥ ସାମରୋହ ଉପରେ ଦେଶବାସୀଙ୍କ ନଜର ରହିଛି । ବିଭିନ୍ନ ଟେଲିଭିଜନରେ ଏହି କାର୍ଯ୍ୟକ୍ରମ ପ୍ରସାରଣ ହେଉଛି । ଲୋକେ ସେମାନଙ୍କ ପ୍ରିୟ ଜନପ୍ରତିନିଧିଙ୍କୁ ଶପଥ ନେବାର ଦେଖୁଛନ୍ତି । କିନ୍ତୁ ସମାଜ ଓ ଯୁବପୀଢୀଙ୍କ ଆଦର୍ଶ ସରକାରଙ୍କ ନିୟମ ପାଳନ କରୁନଥିବା ଦେଖି ଲୋକେ କଣ ଶିକ୍ଷା କରିବେ? କାହିଁ ନିୟମର ପାଳନ କରିବେ? ଏଠାରେ କଣ କରୋନା କେବଳ ଗରିବ, ଗୁରୁବାଙ୍କୁ ହିଁ ସଂକ୍ରମିତ କରୁଛି, ବଡବଡିଆଙ୍କୁ ଏହି ଭୂତାଣୁର ଭୟ ନାହିିଁ, ଯେଉଁଥିପାଇଁ ଏମାନେ ଏହାକୁ ପାଳନ କରିବେ ନାହିଁ ବା ଏମାନଙ୍କ ପାଇଁ ନିୟମ କାର୍ଯ୍ୟକାରୀ ହେବ ନାହିଁ?
ବିଗତ ୪/୫ ମାସ ମଧ୍ୟରେ ଲୋକେ ଏହି ମହାମାରୀ ଭୂତାଣୁ ପାଇଁ ଅନେକ କଷ୍ଟ ଭୋଗିଲେଣି । ଅନେକ ଜୀବନ ହରାଇଥିବା ବେଳେ ଅନେକ ଜୀବିକା ହରାଇ ନିସ୍ୱ । ଯେଉଁଥିପାଇଁ ଏହି ସମୟ ମଧ୍ୟରେ ଦେଶରେ ଆତ୍ମହତ୍ୟା ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହା ବ୍ୟତୀତ କୋଭିଡ ନିୟମ ଅବମାନନା କରି ପୁଲିସର ନିର୍ଯାତନାର ଶିକାର ହୋଇଛନ୍ତି ହଜାର ହଜାର ଲୋକ । ହଜାର ହଜାର ମଧ୍ୟ ତଣ୍ଡ ଗଣି ନୟାନ୍ତ । କିନ୍ତୁ ସେମାନେ ଯେଉଁ ଆଦର୍ଶଙ୍କୁ ଅନୁସରଣ କରୁଛନ୍ତି ଯଦି ସେହି ଆଦର୍ଶମାନେ ମାସ୍କ ନ ପିନ୍ଧନ୍ତି, ତେବେ ସାଧାରଣ ନାଗରିକ କାହିଁ ତଣ୍ଡ ଗଣୁଛି ବା ପୁଲିସର ନିର୍ଯାତନାର ଶିକାର ହେଉଛି? ନେତା ମନ୍ତ୍ରୀଙ୍କ ନିୟମ ଉଲ୍ଲଙ୍ଘନକୁ ନେଇ ସରକାର କି ପଦକ୍ଷେପ ନେବେ?

Related posts

ଅତାବିରା ଏନଏସି ନିର୍ବାଚନରେ ବିଜେଡିର ବିଜୟ : ୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ

mahabharatanews

ଶିରୋମଣୀ ଅକାଳି ଦଳ ଓ ବହୁଜନ ସମାଜ ପାର୍ଟି ମଧ୍ୟରେ ମେଣ୍ଟ ଘୋଷଣା

mahabharatanews

ଜାତୀୟ ଦଳର ନିକଟତର ଆପ

mahabharatanews