(ମୁମ୍ବାଇ): ଡ୍ରଗ୍ସ କାରବାର ଅଭିଯୋଗରେ ଫସିଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ପୁଣି ଖାରଜ ହୋଇଛି । ଜାମିନକୁ ମୁମ୍ବାଇର ସ୍ବତନ୍ତ୍ର କୋର୍ଟ ଖାରଜ କରି ଦେଇଛନ୍ତି । ସୁଚନା ଯେ, ରିୟା ଓ ତାଙ୍କ ଭାଇ ସୌଭିକଙ୍କ ସହ ଅନ୍ୟ ୬ଜଣ ଅଭିଯୁକ୍ତଙ୍କର ମଧ୍ୟ ଜାମିନ ଆବେଦନ ଏକା ସାଙ୍ଗରେ ଖାରଜ କରାଯାଇଛି । ଏବେ ରିୟାଙ୍କୁ ଜେଲରେ ସେପ୍ଟେମ୍ବର ୨୨ ପର୍ୟ୍ୟନ୍ତ ରହିବାକୁ ପଡ଼ିବ ।
ସୂଚନା ଅନୁଯାୟୀ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସେପ୍ଟେମ୍ବର ୮ରେ ରିୟାଙ୍କୁ ଗିରଫ କରିବା ପରେ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିଲା। ଗିରଫ ହେବା ପରେ ରିୟା ତାଙ୍କ ଓକିଲଙ୍କ ଜରିଆରେ ଜାମିନ ପାଇଁ ଆବେଦନ କରିଥିଲେ । କିନ୍ତୁ ଏନ୍ସିବି ତାଙ୍କ ଜାମିନ ଆବେଦନକୁ ବିରୋଧ କରିଛନ୍ତି । ଏହାକୁ ଭିତ୍ତି କରି ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। ତେବେ ଯାହା ସୁଚନା ରହିଛି ପ୍ରଥମ ଆବେଦନ ଖାରଜ ହେବା ପରେ ରିୟା ଦ୍ବିତୀୟ ଥର ଜାମିନ ଆବେଦନ କରିଥିଲେ । ଦ୍ବିତୀୟ ଆବେଦନର ଶୁଣାଣି ସେପ୍ଟେମ୍ବର ୧୦କୁ ରଖାଯାଇଥିଲା। ତେବେ ଗତକାଲିର ଶୁଣାଣିକୁ ଅଦାଲତ ସ୍ଥଗିତ ରଖି, ଆଜି ଜାମିନ ଆବେଦନ ଉପରେ ଶୁଣାଣି କରି ତାଙ୍କ ଆବେଦନକୁ ମୁମ୍ବାଇର ସ୍ବତନ୍ତ୍ର କୋର୍ଟ ଖାରଜ କରି ଦେଇଛନ୍ତି ।
previous post