ଓଡିଶା

ମୁଖ୍ୟମନ୍ତ୍ରୀଙ୍କ ଧର୍ମକୁ ଆଖିଠାର

ଭୁବନେଶ୍ୱର/ସରୋଜ ରାଉତ: ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ଦୁର୍ନୀତି ବିରୋଧରେ ନାରା ଦେଇ ଦେଶ ପାଇଁ ରୋଲ ମଡେଲ ହେବାକୁ ବାହସ୍ପଟ ମାରୁଥିବା ବେଳେ କିନ୍ତୁ ଦୁର୍ନୀତି ବିରୋଧରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ସବୁ ଦିନ ପାଇଁ ଚୁପ କରି ଦିଆଯାଉଛି ଦଳର ନେତାଙ୍କ ଦ୍ୱାରା । ଯାହାର ଏକ ସଦ୍ୟତମ ପ୍ରମାଣ ହେଉଛନ୍ତି କେନ୍ଦ୍ରାପଡାର ସୂଚନା ଅଧିକାର କର୍ମୀ ରଞ୍ଜନ ଦାସ ହତ୍ୟା ଘଟଣା । ଦୁର୍ନୀତିକୁ ଅଣୁପ୍ରାୟ ସହ୍ୟ କରାଯିବ ନାହିଁ କହୁଥିବା ମୁଖ୍ୟମନ୍ତ୍ରୀଙ୍କ ଦଳୀୟ ନେତା ଦୁର୍ନୀତିରେ ଉବୁଟୁବୁ ହେଉଛନ୍ତି । ଅଥଚ ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ସବୁ ଜାଣି ଅଜଣା ଚାଉଳ ଭାତ ଖାଇ ଘୁଙ୍ଗୁଡି ମାରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏତାଦୃଶ କାର୍ଯ୍ୟକୁ ନେଇ କୁହାଯାଉଛି କି, ମୁଖ୍ୟମନ୍ତ୍ରୀ ଦୁର୍ନୀତି ଖୋରଙ୍କ ନିର୍ଭୟ ଆଶ୍ରୟ । ଯେଉଁଥି ପାଇଁ ନ୍ୟାୟ ଦାବିରେ ଲୋକଙ୍କୁ ରାଜରାସ୍ତାକୁ ଓହ୍ଲାଇବାକୁ ପଡୁଛି । ଆଜି ଭୁବନେଶ୍ୱରର ସର୍କିଟ ହାଉସଠାରେ ସୂଚନା ଅଧିକାର ଅଭିଯାନ ପକ୍ଷରୁ ଦିଆଯାଇଛି ଧାରଣା । ଚଳିତ ବର୍ଷ ପ୍ରାରମ୍ଭରେ ଜଣେ ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା କରାଗଲା । ହତ୍ୟାକୁ ନେଇ ଜିଲ୍ଲା ବ୍ୟାପୀ ଆନ୍ଦୋଳନ ହେଲା । କିନ୍ତୁ ମୋ ସରକାର ତଥା ୫ଟି କୁ ନେଇ ଭୂଆଁ ବୁଲାଉଥିବା ମୁଖ୍ୟମନ୍ତ୍ରୀ ତଥା ଦୁଇ ବିଭାଗର ମୁଖ୍ୟ ଭି କେ ପାଣ୍ଡିଆନଙ୍କ ଦୃଷ୍ଟିକୁ ଏହି ଆନ୍ଦୋଳନ ଗଲା ନାହିଁ । ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତିର ମୂଳତ୍ପୋଟନ କରିବା ଡାକରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ଅପଣମାନଙ୍କର ମନେ ଥିବ ଚଳିତ ବର୍ଷ ପ୍ରାରମ୍ଭରେ, ଫେବୃଆରୀ ୧ ତାରିଖରେ କେନ୍ଦ୍ରାପଡାର ଜଣାଶୁଣା ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କ ମୃତଦେହ ତାଙ୍କ ଘରଠାରୁ ଅଳ୍ପ ଦୂରେ ମିଳିଥିଲା । ମୃତଦେହଠାରୁ କିଛି ଦୂରରେ ପଡିଥିଲା ତାଙ୍କ ବାଇକ । ପରିବାର ଲୋକେ ଏହାକୁ ହତ୍ୟା ଅଭିଯୋଗ କଲେ, ଜିଲ୍ଲା ତଥା ରାଜ୍ୟର ସମସ୍ତ ସୂଚନା ଅଧିକାର କର୍ମୀ ଏହାକୁ ଏକ ସୁପରିକଳ୍ପିତ ହତ୍ୟା ଦାବି କରିଥିଲେ ମଧ୍ୟ ପୁଲିସ ଏହାକୁ ଦୁର୍ଘଟଣାର ରୂପ ଦେଇ ଫାଇଲରେ ଡୋରି ବାନ୍ଧିଥିଲା । କାରଣ ଏହି ଘଟଣା ପଛରେ ମହାକାଳ ପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା । ମହାକାଳପଡା ବିଧାୟକଙ୍କ ଛତ୍ରଛାୟା ତଳେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଅନିୟମିତତା, ବେଆଇନ କାର୍ଯ୍ୟ ବିରୋଧରେ ରଞ୍ଜନ ଲଢୁଥିଲେ। ଆରଟିଆଇ ତଥ୍ୟ ମାଧ୍ୟମରେ ବିଧାୟକ ଅତନୁ ସବ୍ୟସାଚୀଙ୍କ ଠିକାଦାର, ବାଲି ମାଫିଆଙ୍କ ସହ ମଧୁଚନ୍ଦ୍ରିକାର ଖୁଲାସା କରୁଥିଲେ ରଞ୍ଜନ ।  ମହାକାଳପଡା ତଥା କେନ୍ଦ୍ରାପଡାରେ ଚାଲିଥିବା ଯୋଜନାରେ ହେଉଥିବା ବ୍ୟାପକ ଅନିୟମିତତା ସମ୍ପର୍କରେ ସେ ଆରିଟିଆଇରୁ ତଥ୍ୟ ସଂଗ୍ରହ କରି ତାହାକୁ ସାର୍ବଜନୀନ କରିଆସୁଥିଲେ । ତେଣୁ ତାଙ୍କୁ ପୂର୍ବରୁ ବହୁବାର ଧମକ ଚମକ ଦିଆଯାଇଥିଲା । ଏପରି କି ତାଙ୍କୁ ଏକାଧିକବାର ଆକ୍ରମଣ ମଧ୍ୟ ହୋଇଥିଲା । ଏଥିନେଇ ରଞ୍ଜନ ମହାକାଳପଡା ତଥା ପାଟକୁରା ଥାନାରେ ମଧ୍ୟ ଏକାଧିକ ଅଭିଯୋଗ କରିଥିଲେ । ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ମଧ୍ୟ ପୁଲିସର ସହଯୋଗ ଲୋଡିଥିଲେ । କିନ୍ତୁ କୌଣସି ବି ଘଟଣାରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା । ଶେଷରେ ଫେବୃଆରୀ ୧ରେ ତାଙ୍କ ମୃତଦେହ ମିଳିଥିଲା । ବିଧାୟକଙ୍କ ହାତ ବାରେସି ସାଜିଥିବା କେନ୍ଦ୍ରାପଡା ଏସପ ନିତିନ ଶେଖର ଓ ଥାନାଧିକାରୀ ହତ୍ୟାକୁ ଦୁର୍ଘଟଣା ରୂପ ଦେଇଥିଲେ । ରଞ୍ଜନଙ୍କ ହତ୍ୟାକୁ ଅତନୁଙ୍କ ନିର୍ଦ୍ଦେଶରେ ଦୁର୍ଘଟଣା ଦର୍ଶାଇ ଏସପି ଫାଇଲ କ୍ଲୋଜ କରିଦେଲେ

ଅତନୁଙ୍କ ନାମରେ ଏହି ହତ୍ୟା ଭିନ୍ନ ଚିଟ ଫଣ୍ଡ ଦୁର୍ନୀତି, ବାଲି ମାଫିଆ, ଠିକାଦାରଙ୍କ ସହ ମଧୁଚନ୍ଦ୍ରିକା ନେଇ ବିଭିନ୍ନ ଅଭିଯୋଗ ହୋଇଛି । କିନ୍ତୁ ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଉନାହାନ୍ତି । କିନ୍ତୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର ପରେ ପ୍ରରମ୍ଭିକ ଅବସ୍ଥାରେ ସମାନ ଅଭିଯୋଗମାନ ଆଣିଥିଲା ଦଳ । ତେବେ ଜଣଙ୍କ କ୍ଷେତ୍ରରେ ଦଳ ମୁଖିଆ ବା ମୁଖ୍ୟମନ୍ତ୍ରୀ କଠୋରତା ସହ ପଦକ୍ଷେପ ନେଇଥିବା ବେଳେ ଅନ୍ୟ ଜଣଙ୍କ ପ୍ରତି କାହିଁ ଅନୁକମ୍ପା ଦେଖାଉଛନ୍ତି ବୋଲି ପ୍ରଶ୍ନ ଉଠୁଛି । ଏହା ବ୍ୟତୀତ ଅତନୁଙ୍କ ନାମରେ ରହିଛି ଚିଟଫଣ୍ଡ ଦୁର୍ନୀତି । ଯେଉଁଥିରେ ରାଜ୍ୟର ଲକ୍ଷଲକ୍ଷ ଲୋକ ଲୁଟର ଶିକାର ହୋଇ ସର୍ବସ୍ୱାନ୍ତ ହୋଇଛନ୍ତି । ଅନେକ ମାନସିକ ଦୁଶ୍ଚିନ୍ତାରେ ଆତ୍ମହତ୍ୟାକୁ ମଧ୍ୟ ଆପଣେଇ ନେଇଛନ୍ତି । ଏତେ ସବୁ ପରେ ମଧ୍ୟ ଦୁର୍ନୀତିକୁ ଦେଖି ପାରୁନାହାନ୍ତି ମୁଖ୍ୟମନ୍ତ୍ରୀ ଓ ଦୁର୍ନୀତିରେ ବୁଡିରହିଥିବା ନେତୃବୃନ୍ଦଙ୍କୁ ଦୁର୍ନୀତି ବିରୋଧରେ ଲଢେଇ କରିବାକୁ ଦେଉଛନ୍ତି ଆହ୍ୱାନ । ଏହା କେବଳ ଧର୍ମକୁ ଆଖିଠାର ବୋଲି କୁହାଯାଉଛି ।

Related posts

ଶ୍ରୀମନ୍ଦିରରେ ୫ଘଣ୍ଟା ସାଧାରଣ ଦର୍ଶନ ମନା

mahabharatanews

ପୁଣି ଓଲଟିଲା ଯାତ୍ରୀବାହୀ ବସ

mahabharatanews

ବିଦ୍ୟୁତ ଆଘାତରେ ନାତି, ଜେଜେମା ମୃତ

mahabharatanews