ଓଡିଶା

ତେଲ ମାରୁ ମାରୁ ସରକାରର ପୋଲ୍ ଖୋଲିଦେଲେ ଅରୂପ

ଭୁବନେଶ୍ୱର/ଶିଳାସ୍ମିତା ରାୟ: ଗତକାଲି ଥିଲା ବିଜେଡିର ପ୍ରତିଷ୍ଠା ଦିବସ । ୨୪ ତମ ବିଜେଡି ପ୍ରତିଷ୍ଠା ଦିବସକୁ ବଡ ଧୂମଧାମରେ ରାଜ୍ୟବ୍ୟାପୀ ପାଳନ କରାଯାଇଛି । ଏହି ଦିବସ ଅବସରେ କିନ୍ତୁ ବିଜେଡି ନେତା ତଥା ଓଡିଶା ମୋ ପରିବାର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କ ଜୟ ଗାନ ଓ ରାଜ୍ୟ ସରକାରର ସଫଳତା ବଖାଣିବାରେ ଶତମୁଖର ହୋଇପଡିଥିଲେ । କିନ୍ତୁ ଏହି ଜୟଗାନ କରୁକରୁ ଦଳରେ ଚାଲିଥିବା ଭ୍ରଷ୍ଟାଚାରର ପୋଲ ଖୋଲି ଦେଲେ । ଦେଶରେ ଉଚ୍ଛେଦ ହୋଇସାରିଥିବା ରାଜତନ୍ତ୍ର, ଜମିଦାରିବାଦ ବିଜେଡି ଦଳରେ ଚାଲିଥିବା କହୁକହୁ କହିଦେଲେ । ଅଧ୍ୟକ୍ଷଙ୍କ ବୟାନକୁ ନେଇ ଏବେ ରାଜ୍ୟ ବିଶେଷଜ୍ଞଙ୍କ ମଧ୍ୟରେ ଚର୍ଚ୍ଚା ।

ଗତକାଲି ବିଜେଡି ପ୍ରତିଷ୍ଠା ଦିବସ ଅବସରରେ ଖୋର୍ଦ୍ଧାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ମୋ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ଅତିଥିଭାବେ ଯୋଗ ଦେଇ ବିଜେଡି କର୍ମୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ତାଙ୍କ ଉଦ୍ବୋଧନୀରେ ସେ ଯେଉଁ କେତୋଟି ବିଷୟକୁ ଉଲ୍ଲେଖ କରିଛନ୍ତି, ସବୁଥିରେ ୨୦ ବର୍ଷ ସରକାରର ବିଫଳତା, ଏକଛତ୍ରବାଦ, ଦଳୀୟ ଦଲାଲଗିରିକୁ ଦର୍ଶାଇଥିବା କୁହାଯାଉଛି । ଦଳୀୟ କର୍ମକର୍ତ୍ତାଙ୍କୁ ପ୍ରାଞ୍ଚଳଭାବେ ଉଦାହରଣ ଦେଇ ବୁଝାଉ ବୁଝାଉ ଖୋଲିଦେଇଛନ୍ତି ସବୁ ପୋଲ । ରାଜ୍ୟ ଚିକିତ୍ସା କ୍ଷେତ୍ରରେ ଆଜି ମଧ୍ୟ ପଛରେ ରହିଛି ଓ ଚିକିତ୍ସା ବ୍ୟବସ୍ଥାରେ ଦାଲଲଗିରି ଚାଲିଥିବା ତାଙ୍କ ବକ୍ତବ୍ୟରୁ ସାରାଂଶ ବାହାର କରିଛନ୍ତି ବିଶେଷଜ୍ଞ । ସେ ତାଙ୍କ ଭାଷଣରେ ଓଡିଶା ମୋ ପରିବାର କ୍ୟାନସର ରୋଗୀଙ୍କୁ କରୁଥିବା ସହଯୋଗ ସମ୍ପର୍କରେ ବୁଝାଉଥିବା ବେଳେ ରାଜ୍ୟରେ କ୍ୟାନସର ରୋଗ ଚିକିତ୍ସା ସମ୍ଭବ ନ ଥିବା କହିଛନ୍ତି । ସ୍ୱାଧୀନତା ପୂର୍ବରୁ ୧୯୪୪ରୁ ରାଜ୍ୟରେ ଏସସିବି ମେଡିକାଲ ପ୍ରତିଷ୍ଠା ହୋଇଛି । କିନ୍ତୁ ଏସସିବି ମଧ୍ୟ କ୍ୟାନ୍ସର ଚିକିତ୍ସାରେ ସଫଳତା ପାଇନଥିବା ଅରୂପଙ୍କ ଦ୍ୱାରା କୁହାଯାଇଛି

ସେହିପରି ମେଡିକାଲ ଓ ଥାନାକୁ ଯିବା ସମୟରେ ଚିହ୍ନା ଲୋକର ଆବଶ୍ୟକତାକୁ ସେ ଗୁରୁତ୍ୱ ଦେଇଛନ୍ତି । ଆଉ ଏହି ଚିହ୍ନା ଲୋକ ହେଉଛନ୍ତି ବିଜେଡିର କର୍ମକର୍ତ୍ତା । ଏମାନଙ୍କ ସହଯୋଗ ନ ମିଳିଲେ ସାଧାରଣ ଜନତାଙ୍କ ପାଇଁ ଚିକିତ୍ସା ଓ ନ୍ୟାୟ ଉଭୟ ଦିବା ସ୍ୱପ୍ନ ସମ ବୋଲି ତାଙ୍କ ଉକ୍ତିରୁ ଆକଳନ କରିଛନ୍ତି ବୁଦ୍ଧିଜୀବୀ । ଅର୍ଥାତ ଉଭୟ କ୍ଷେତ୍ରରେ ଚାଲିଛି ଦଲାଲି । ସରକାର ଦଲାଲିକୁ ସମ୍ପୂର୍ଣ୍ଣ ବନ୍ଦ କରିଥିବା ଘୋଷଣା କରିଛନ୍ତି । ଦଲାଲଙ୍କ ଦ୍ୱାରା ଲୋକେ ଲୁଣ୍ଠିତ ନ ହୁଅନ୍ତୁ ଏନେଇ ସରକାରୀ କାର୍ଯ୍ୟାଳୟରେ ମୁଖ୍ୟତଃ ମେଡିକାଲ, ଆରଟିଓ ଆଦିରେ ଚାଲିଆସୁଥିବା ଦଲାଲିକୁ ବନ୍ଦ କରିଛନ୍ତି । କିନ୍ତୁ ଅରୂପଙ୍କ ଭାଷଣରୁ ଜଣାପଡୁଛିି, ସରକାର ବ୍ୟକ୍ତିଗତ ଓ ସାଧାରଣ ଦଲାଲଙ୍କୁ ଦଲାଲି କାର୍ଯ୍ୟରୁ ନିବୃତ୍ତ କରି ଦଳୀୟ କର୍ମକର୍ତ୍ତା, ସମର୍ଥକଙ୍କୁ ଏହି କାର୍ଯ୍ୟ ନ୍ୟସ୍ତ କରିଛନ୍ତି । ଏହି ଦଳୀୟ ଦଲାଲମାନେ ସାଧାରଣ ଜନତାଙ୍କ ମାର୍ଗଦର୍ଶକ ହେବେ । ହାତଗୁଞ୍ଜା ନେଇ ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବେ । ପୂର୍ବରୁ ଏ ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଛି । ଲୋକେ ଦଳୀୟ କର୍ମକର୍ତ୍ତାଙ୍କ ଦ୍ୱାରା ଲୁଣ୍ଠିତ ହେବାକୁ ନେଇ ଅଭିଯୋଗ ହୋଇ ଆସୁଥିବା ବେଳେ ଅରୂପ ବାବୁ ଏହାକୁ ତାଙ୍କ ବକ୍ତବ୍ୟରେ ସତ୍ୟ ପ୍ରମାଣିତ କରିଛନ୍ତି

ଅରୂପଙ୍କ ଆଉ ଏକ କଥାକୁ ନେଇ ଏବେ ସେ ବେଶା ସମାଲୋଚିତ ହେଉଛନ୍ତି । ଏହି ପୂର୍ବତନ ଦକ୍ଷ ପୁଲିସ ଅଫିସର, ଅନ୍ୟ ଦଳୀୟ ନେତୃବୃନ୍ଦଙ୍କଠାରୁ ଶିଖି ମୁଖ୍ୟମନ୍ତ୍ରୀଙ୍କୁ ତେଲମାରିବାକୁ ଯାଇ ହଟହଟା ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ମାଲିକ ବା ଜମିଦାର, ସେ ଓ ଅନ୍ୟାନ୍ୟ ନେତା ମନ୍ତ୍ରୀ କର୍ମକର୍ତ୍ତା ତାଙ୍କ ଗୁମାସ୍ତା । ଅର୍ଥାତ୍ ଦେଶରୁ ଜମିଦାରୀପ୍ରଥା ଉଠିଯାଇଥିଲେ ମଧ୍ୟ ରାଜ୍ୟରେ ଜମିଦାରୀ ପ୍ରଥା ଚାଲିଛି । ଜମିଦାର ନବୀନଙ୍କ ଜମିଦାରୀ ରାଜ୍ୟରେ ପ୍ରଚଳିତ ରହିଛି । ତାଙ୍କ ଅନୁଯାୟୀ, ତାଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟର ନେତା କାର୍ଯ୍ୟକରୁଛନ୍ତି । ଛଅମାଣ ଆଠ ଗୁଣ୍ଠୁର ରାମଚନ୍ଦ୍ର ମଙ୍ଗରାଜ ଜମିଦାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଯେମିତି ସାରିଆ ଭଗିଆ ଲୁଣ୍ଠିତ ହୋଇଥିଲେ ଏଠି ମଧ୍ୟ ଅନୁରୂପ ଦୃଶ୍ୟ ଚାଲିଥିବାର ବହୁ ଉଦାହରଣ ଦେଖିବାକୁ ମିଳୁଥିବା ବେଳେ ଅରୂପଙ୍କ ଭାଷଣ ଏଥିରେ ମୋହର ମାରିଛି । ଲକ୍ଷଲକ୍ଷ ଗୁମାସ୍ତାଙ୍କ କବଜାରେ ରାଜ୍ୟର ସାଢେ ୪ କୋଟି ଜନତା । ଏହି ଗୁମାସ୍ତାଙ୍କ ଦ୍ୱାରା କିପରି ଲୁଣ୍ଠିତ ହେଉଛନ୍ତି ରାଜ୍ୟବାସୀ ତାହାକୁ ନେଇ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା ।

ରାଜନେତାଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କୁ ମାନ୍ୟବାର ସମ୍ବୋଧନ କରାଯିବା, ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଭାବେ ପ୍ରଶଂସା କରାଯିବା ସମ୍ପ୍ରତିକ ପରିସ୍ଥିତିରେ ସମସ୍ତେ ଦେଖିଆସୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କଥା ଉଠିଲେ ଦଳୀୟ ନେତା ମାନ୍ୟବର ଲଗାଇବା ଏକ ଦଳୀୟ ଚଳଣିରେ ରୂପାନ୍ତରି ହୋଇଛି । ଏହାକୁ ଦେଖି ରାଜନୀତିରେ ପାଦଥାପିଥିବା ଏହି ବରିଷ୍ଠ ପୁର୍ବତନ ଆଇପିଏସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗୁଡବୁକରେ ରହିବାକୁ ତାଙ୍କୁ ତେଲ ମାରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କ କଥାକୁ ନଥା କରିବାରେ ବ୍ୟସ୍ତ ସମାଲୋଚକ । ଅରୂପ ଜଣେ ଦକ୍ଷ ଅଫିସ ଏକଥା ତାଙ୍କ ବିରୋଧୀ ମଧ୍ୟ ସ୍ୱୀକାର କରନ୍ତି । ତାଙ୍କୁ ରାଜନେତାଙ୍କ ପରି ପାଣିରେ ସର ପକେଇବା ଏଯାବତ୍ ଜଣାନାହିଁ । ଯେଉଁଥି ପାଇଁ ରାଜନେତାଙ୍କୁ ଅନୁସରଣ କରିବାକୁ ଯାଇ ହଟହଟା ହୋଇଛନ୍ତି । ଏହାକୁ ନେଇ କୁହାଯାଉଛି, ଦେହେ ମନ୍ଦାକିନୀ ରଜ୍ଜ ଲଗାଇ ଗ୍ରାମ ଶୂକରୀ କି ହୋଇବ ଗାଈ?

Related posts

ଡେଙ୍ଗୁ ଆତଙ୍କ : ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ 

mahabharatanews

ବିଲରୁ ପଡିଛି ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ

mahabharatanews

ରାଜ୍ୟରେ ୧୦୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews