(ଭୁବନେଶ୍ୱର) ; ପାରେଳାଖେମୁଣ୍ଡି ଏସିଏଫ ସୌମ୍ୟରଞନଙ୍କ ମୃତ୍ୟୁ ଘଗଟଣାର ତଦନ୍ତ ଯେତେ ଆଗକୁ ଯାଉଛି ସେତେ ନୂଆ ନୂଆ ନାଁ ସାମ୍ନାକୁ ଆସୁଛି । ସୌମ୍ୟ ମୃତ୍ୟୁ ଘଟଣାରେ ଗତକାଲି ପୋଷ୍ଟମର୍ଟମ ରିପୋର୍ଟ ଆସିଥିବା ବେଳେ ଏଥିରେ ସନ୍ତୁଷ୍ଟ ନଥିଲେ ସୌମ୍ୟଙ୍କ ପରିବାର ଲୋକେ । ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ସହିତ ଅନେକ ପ୍ରଭାବଶାଳୀ ଲୋକଙ୍କ ନାଁ ଯୋଡିହୋଇଛି ।ଏବେ ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ହାଇକୋର୍ଟରେ ଦାୟର ହେଲା ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଘଟଣାର ସିବିଆଇ ତଦନ୍ତ କରିବାକୁ ଭାରତୀୟ ବିକାଶ ପରିଷଦ ପକ୍ଷରୁ କୋର୍ଟଙ୍କୁ ନିବେଦନ କରାଯାଇଛି । ନଚେତ୍ ହାଇକୋର୍ଟର ଜଣେ ସିଟିଂ ଜଜ୍ ଙ୍କ ଅଧ୍ୟକ୍ଷତାରେ ଏସଆଇଟି ଗଠନ କରାଯାଇ ମାମଲାର ତଦନ୍ତ ହେଉ ବୋଲି ଦାବି କରି ମଙ୍ଗଳବାର ହାଇକୋର୍ଟରେ ରିଟ୍ ପିଟିସନ ଦାଏର କରିଛି ଭାରତୀୟ ବିକାଶ ପରିଷଦ । ଦାଏର ପିଟିସନରେ ଆବେଦନକାରୀ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ସୌମ୍ୟଙ୍କ ମୃତ୍ୟୁ ଏକ ଦୁର୍ଘଟଣା ନୁହେଁ ବରଂ ଏକ ହତ୍ୟାକାଣ୍ଡ । ଏଥିରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ, ପାରଳାଖେମୁଣ୍ଡି ଡିଏଫଓ ଏବଂ ଆଉ କିଛି ବ୍ୟକ୍ତି ସଂପୃକ୍ତ ଅଛନ୍ତି । ପୋଲିସର ତଦନ୍ତ ପ୍ରକ୍ରିୟାରେ ସ୍ବଚ୍ଛତା ନାହିଁ ବୋଲି କୋର୍ଟଙ୍କୁ ଦର୍ଶାଇଛନ୍ତି ଆବେଦନକାରୀ । ଦାଏର ମାମଲାରେ ମୁଖ୍ୟ ସଚିବ, ଗୃହ ବିଭାଗର ଅତିରିକ୍ତ ସଚିବ, ପୋଲିସ ଡିଜି, ପାରଳାଖେମୁଣ୍ଡି ଏସପିଙ୍କ ସମେତ ୭ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । ସତ ସାମ୍ନାକୁ ନଆସିଲେ ସୌମ୍ୟଙ୍କ ପରିବାରଲୋକ ଧାରଣା ଦେବେ ଏବଂ ହାଇକୋର୍ଟଙ୍କ ଆଶ୍ରୟ ନେବେ ବୋଲି କହିଥିଲେ ସୌମ୍ୟଙ୍କ ଭାଇ ।
