କେନ୍ଦ୍ରାପଡ଼ା: ଭିତରକନିକା ଜାତୀୟ ଉଦ୍ୟାନରେ ଆଜିଠୁ ଦେଶୀୟ ପକ୍ଷୀ ଗଣନା ଆରମ୍ଭ ହୋଇଛି । ୨ଟି ଟିମ୍ ପକ୍ଷୀ ଗଣନା କାର୍ୟ୍ୟ ୭ ଦିନ ପର୍ୟ୍ୟନ୍ତ ଚାଲିବ । ପ୍ରତ୍ୟେକ ଟିମରେ ୭ ଜଣ ଲେଖାଏଁ ସଦସ୍ୟ ଅଛନ୍ତି । ଦେଶର କୋଣ ଅନୁକୋଣରୁ ନିଜର ବଂଶ ବିସ୍ତାର ପାଇଁ ଗେଣ୍ଡାଳିଆ,ରାଣୀ ବଗ, ମଝିଆ ବଗ, ଛୋଟ ବଗ, ଖଇରା ବଗ, ଅଞ୍ଜନା ବା ମାଟିଆ ବଗ, ପାଣି କୁଆ, ଅନ୍ଧାରିଆ ବଗ, ଦାଆଁବେଟିଆ, କାପରଖାଇ ଆଦି ପକ୍ଷୀ ଭିତରକନିକାମୁହାଁ ହୋଇଛନ୍ତି। ସେମାନେ ଭିତରକନିକାର ବଗ ଗହଣ, ମଠଆଡ଼ିଆ, ଲଷ୍ମୀପ୍ରସାଦଡ଼ିଆ, ଦୁର୍ଗାପ୍ରସାଦଡିଆର ଗଛମାନଙ୍କରେ ବସା ବାନ୍ଧିଛନ୍ତି ।
ନଦୀ ମୁହାଣର ବ୍ରାହ୍ମଣୀ ନଦୀ ପଠା ଓ ଦ୍ୱୀପରେ ଅବସ୍ଥିତ ଏକର ଏକର ବିଶିଷ୍ଟ ଏହି ଜଙ୍ଗଲ ମଧ୍ୟରେ ବନି, ଗୁଆ, କେରୁଆରେ ବସା ବାନ୍ଧି ପକ୍ଷୀମାନେ ବଂଶ ବିସ୍ତାର କରିଥାନ୍ତି । ଏନେଇ କନିକା ରେଞ୍ଜ ଅଫିସର ମାନସ ଦାସ କହିଛନ୍ତି ଆଜିଠୁ ପକ୍ଷୀଗଣନା ଆରମ୍ଭ ହୋଇଛି। ଗୋଟିଏ ଟିମ୍ ମଠଆଡ଼ିଆ ଓ ଅନ୍ୟ ଟିମ୍ ଲକ୍ଷ୍ମୀପ୍ରସାଦ, ଦୁର୍ଗାପ୍ରସାଦଡିଆରରେ ପକ୍ଷୀ ଗଣନା କରିବେ। ୭ ଦିନ ଧରି ଏହି ଗଣନା କାର୍ୟ୍ୟକ୍ରମ ଚାଲିବ।
