ଲକ୍ଷ୍ନୌ: କରୋନାର ତୃତୀୟ ଲହରକୁ ନେଇ ଆଶଙ୍କା ଲାଗି ରହିଥିବା ବେଳେ ଉତ୍ତରପ୍ରଦଶରେ ଏକ ଅଜଣା ଜ୍ୱର ଆତଙ୍କ ସୃଷ୍ଟି କଲାଣି। ଅଜଣା ଜ୍ୱରରେ ଉତ୍ତରପ୍ରେଦଶର ଫିରୋଜାବାଦରେ ୩୨ ଶିଶୁଙ୍କ ମୃତ୍ୟୁ ହୋଇଛି। ଏହି ଜ୍ୱରରେ ମୋଟି ୩୯ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ତେବେ ଏଥିରେ ଅଧିକ ସଂଖ୍ୟକ ଶିଶୁ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ଭେଟି ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି।
ମଥୁରା, ଫିରୋଜାବାଦ ଏବଂ ମୈନପୁରୀ ସମେତ ପଶ୍ଚିମ ଉତ୍ତରପ୍ରଦେଶର କିଛି ଜିଲ୍ଲାରେ ଏହି ଅଜଣା ଜ୍ୱର ବ୍ୟାପିବାରେ ଲାଗିଛି । ଜ୍ୱରର ସଂକ୍ରମଣ ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ସ୍ୱାସ୍ଥ୍ୟବିଭାଗ ଏହି ଜ୍ୱର ଉପରେ କାର୍ଯ୍ୟ କରୁଛି ।
ସୋମବାର ଯୋଗୀ ଆଦିତ୍ୟ ଫିରୋଜାବାଦ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତରେ ଯାଇ ଅଜଣା ଜ୍ୱରରେ ଚିକିତ୍ସିତ ହେଉଥିବା ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। କଥିତ ରୂପେ ଏହି ହସ୍ପିଟାଲରେ ନିକଟରେ ଅଜଣା ଜ୍ୱର ଯୋଗୁଁ ଅତିକମ୍ରେ ୩୦ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାକୁ ନେଇ ରାଜ୍ୟରେ ରାଜନୀତି ଆରମ୍ଭ ହୋଇ ଗଲାଣି ।
ଏହା ଉପରେ ଫିରୋଜାବାଦ ଜିଲ୍ଲା ଅଧିକାରୀ କହିଛନ୍ତି, ପ୍ରବଳ ବର୍ଷା ଏବଂ ପାଣି ଜମିବା ଦ୍ୱାରା ପିଲାଙ୍କ ଆକ୍ରାନ୍ତ ହେଉଥିବା ଜ୍ୱର ଡେଙ୍ଗୁ ଓ ମାଲେରିଆ। ସମସ୍ତ ଅସୁସ୍ଥ ପିଲାଙ୍କ କରୋନା ଟେଷ୍ଟ କରାଯାଇଛି। ସେମାନଙ୍କ ରିପୋର୍ଟ ନେଗେଟିଭ ରହିଥିବା ସେ କହିଛନ୍ତି।