ଭୁବନେଶ୍ବର: ଶିଶୁଙ୍କ ରୋଗ ପ୍ରତିରୋଧ ଶକ୍ତି ପ୍ରାପ୍ତ ବୟସ୍କଙ୍କଠାରୁ ଅଧିକ । ତେଣୁ ସ୍କୁଲ ଖୋଲିବାରେ ଅସୁବିଧା ନାହିଁ ବୋଲି କହିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ପାଇଁ ସେ ରାଜ୍ୟ ସରକାର ଓ ଗଣଶିକ୍ଷା ବିଭାଗକୁ ସୁପାରିସ କରିବେ ବୋଲି କହିଛନ୍ତି । ତାଙ୍କ ଅନୁଯାୟୀ, ବ୍ୟକ୍ତିର ମୂଳଦୂଆ ପ୍ରାଥମିକ ଶିକ୍ଷା ଉପରେ ନିର୍ଭର କରେ । ମୂଳଦୁଆ ବିଗିଡିଗଲେ ଉଚ୍ଚ ଶିକ୍ଷାରେ ଅସୁବିଧା ହେବ । ଏହା ବ୍ୟତୀତ ଶିଶଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ । ଶିଶୁଙ୍କ ପାଇଁ ଟିକା ମଧ୍ୟ ଖୁବ୍ ଶୀଘ୍ର ଆସିବ ।ତେଣୁ ପ୍ରଥମଠାରୁ ପଞ୍ଚମ ଶ୍ରେଣୀ ଖୋଲିଲେ କୌଣସି ଅସୁବିଧା ହେବନାହିଁ ।
ଅନ୍ୟପଟେ ରାଜ୍ୟରେ ବିଦ୍ୟାଳୟ ଖୋଲିବା ପରେ ସଚେତନତା ଓ ସୁରକ୍ଷା ନେଇ ଅଭିଯାନ ହେବ ଆରମ୍ଭ ହେବ। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ ଅବସରରେ ଗତ ୧ ତାରିଖରୁ ୪୦ ଦିନିଆ ଏହି କାର୍ୟ୍ୟକ୍ରମ ଜାରି ରହିଥିବା ବେଳେ ଆସନ୍ତା ୧୯ ତାରିଖରୁ ସ୍ବତନ୍ତ୍ର ଭ୍ରାମ୍ୟମାଣ ଭ୍ୟାନର ଶୁଭାରମ୍ଭ ହେବ । ଯାହା ଭୁବନେଶ୍ବରରୁ ଆରମ୍ଭ କରି ରାଜ୍ୟର ସମସ୍ତ ଜିଲ୍ଲାରେ ବୁଲି ବୁଲି ଶିଶୁମାନଙ୍କ ସୁରକ୍ଷା ଓ ସଚେତନତା ଦିଗରେ ବାର୍ତ୍ତା ଦେବ ।