ଭୁବନେଶ୍ୱର: ରାଜଧାନୀରେ ରକ୍ତର ହୋରୀ । ସାମାନ୍ୟ କଥାରୁ ଚାଲୁଛି ଖଣ୍ଡା ତଲୱାରୀ, ଛୁରା । ପୁଣି ଲକ୍ଷ୍ମୀସାଗରରେ ହୋଇଛି ଏକ ଛୁରାମାଡ । ଲକ୍ଷ୍ମୀସାଗର ବଙ୍ଗାଳିବସ୍ତିରେ ପାରିବାରିକ କଳହକୁ ନେଇ ସ୍ୱାମୀର ଛୁରା ମାଡରେ ସ୍ତ୍ରୀ ଆହତ ହୋଇଛନ୍ତି । ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।
ଲକ୍ଷ୍ମୀସାଗର ବଙ୍ଗାଳିବସ୍ତିରେ ଦୁର୍ଗାମାଧବ ମହାପାତ୍ର ଓ ପତ୍ନୀ କଳ୍ପନା ମହାପାତ୍ରଙ୍କ ପରିବାର ରହୁଛନ୍ତି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ସମୟରେ ବିବାଦ ଲାଗି ରହୁଥିଲା । ସୋମବାର ସକାଳୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ନିଜ ପତ୍ନୀକୁ ମାଡ ମାରିବା ସହ ଛୁରା ମାଡ କରିଥିଲା । ଛୁରା ମାଡରେ କଳ୍ପନା ମହାପାତ୍ରଙ୍କ ପେଟ ସମେତ ଶରୀରରେ ଏକାଧିକ ଆଘାତ ଲାଗିଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତି କରିଥିଲେ । କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି । ଏହି ଘଟଣା ପରେ ସ୍ୱାମୀ ଦୁର୍ଗାମାଧବ ଫେରାର ହୋଇଯାଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି । ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ।
