ବର୍ଷା ଅଭାବ ଯୋଗୁଁ ମହାରାଷ୍ଟ୍ରର ଏବେ ମରୁଡ଼ି କବଳରେ। ରାଜ୍ୟର ୩୫୮ଟି ତହସିଲ ମଧ୍ୟରୁ ୨୬୫ଟିକୁ ମରୁଡ଼ି ପ୍ରଭାବିତ ଘୋଷଣା କରାଯାଇଛି। ଅର୍ଥାତ୍ ପ୍ରାୟ ୭୪ ପ୍ରତିଶତ ତହସିଲ ଏହି ସଙ୍କଟରେ ପଡ଼ିଛି। ଦୀର୍ଘଦିନ ଧରି ବର୍ଷା ନ ହେବାରୁ ଅନେକ ସ୍ଥାନରେ କ୍ଷେତ ଶୁଖି ଯାଇଛି। ସୋୟାବିନ୍, ହରଡ଼ ଡାଲି, ପିଆଜ ସହ ଅନେକ ଖରିଫ ଫସଲର ଉତ୍ପାଦନ ଉପରେ ପ୍ରଭାବ ପଡ଼ିବା ଆଶଙ୍କା ରହିଛି। କେତେକ ଅଞ୍ଚଳରେ ଫସଲ ନଷ୍ଟ ହେବା ସହିତ ପଶୁଖାଦ୍ୟ ଓ ପାଣି ଅଭାବ ମଧ୍ୟ ଦେଖାଦେଇଛି।

ଜଳସଂକଟ ମଧ୍ୟ ଚିନ୍ତା ବଢ଼ାଇଛି। ମହାରାଷ୍ଟ୍ରର ଡ୍ୟାମଗୁଡ଼ିକରେ ଜଳସ୍ତର ଗତବର୍ଷଠାରୁ କମ୍ ଥିବା ବେଳେ, ମରାଠୱାଡାରେ ସ୍ଥିତି ଅଧିକ ଗମ୍ଭୀର। ସେଠାରେ ଜଳଭଣ୍ଡାର ପ୍ରାୟ ୪୪.୯୨ ପ୍ରତିଶତରେ ସୀମିତ ରହିଥିବା ନେଇ ରିପୋର୍ଟ ଆସିଛି।ଚଳିତ ବର୍ଷ ମହାରାଷ୍ଟ୍ରରେ ସାମଗ୍ରିକ ବର୍ଷା ପ୍ରାୟ ୧୮ ପ୍ରତିଶତ କମ୍ ରହିଛି। ମରାଠୱାଡାରେ ବର୍ଷା ଘାଟତି ପ୍ରାୟ ୩୮ ପ୍ରତିଶତ ଏବଂ ବିଦର୍ଭରେ ପ୍ରାୟ ୨୭ ପ୍ରତିଶତ ଥିବାରୁ ଏହି ଦୁଇ ଅଞ୍ଚଳ ସବୁଠୁ ଅଧିକ ପ୍ରଭାବିତ ହୋଇଛି।

