ଭୁବନେଶ୍ୱର:ହିତାଧିକାରୀଙ୍କୁ ସବସିଡି ବାଣ୍ଟିବାରେ ଆଗରେ ଥିବା ପ୍ରମୁଖ ପାଞ୍ଚ ରାଜ୍ୟ ମଧ୍ୟରେ ଓଡିଶା ନାମ ରହିଛି । କିନ୍ତୁ ସେଥିପାଇଁ ଲଗାତାର ସରକାରଙ୍କ ରାଜକୋଷ ଉପରେ ଚାପ ପଡୁଥିବା ମଧ୍ୟ ନଜରକୁ ଆସିଛି । ଯୋଗ୍ୟ ଲୋକଙ୍କୁ ନମିଳି ସମସ୍ତଙ୍କୁ ସବସିଡି ମିଳିବା ନେଇ ମଧ୍ୟ ଏକ ପ୍ରଶ୍ନ ଉଠିଛି ।ଗତ ତିନି ବର୍ଷ ମଧ୍ୟରେ ଝାଡଖଣ୍ଡ ,କେରଳ ଓଡିଶା , ତେଲେଙ୍ଗାନା ଓ ଉତ୍ତରପ୍ରଦେଶ ଦେଇଥିବା ସବସିଡିରେ ସର୍ବାଧିକ ବୃଦ୍ଧି ହୋଇଛି ।ଗୁଜୁରାଟ ,ପଞାବ ଓ ଛତିସଗଡ ସେମାନଙ୍କ ରାଜସ୍ୱ ବ୍ୟୟର ୧୦%ରୁ ଅଧିକ ଅର୍ଥ ସବସିଡି ବାବଦରେ ଖର୍ଚ୍ଚ କରିଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କର ୨୦୨୨ ଜୁନ୍ ଏକ ସର୍ଭେରେ କୁହାଯାଇଛି ଯେ ରାଜ୍ୟ ସରକାରମାନେ ଯେଉଁ ସବସିଡି ଦେଉଛନ୍ତି ତାହାର ଅଧା ଭାଗ ମାଗଣା ସ୍କିମରେ ପ୍ରଦାନ କରୁଛନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥା ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଦିଆଯାଉଥିବା ସହାୟତା ପାଇଁ ଯଦି ସବସିଡି ବାବଦ ଅର୍ଥ ଖର୍ଚ୍ଚ କରାଯିବ ତେବେ ତାହାର ଅର୍ଥନୈତିକ ଲାଭ ମିଳିବ । ମାତ୍ର ମାଗଣା ସ୍କିମରେ ଦିଆଯାଉଥିବା ସବସିଡିରୁ କୈାଣସି ଅର୍ଥନୈତିକ ଲାଭ ମିଳିବ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି ।ରାଜ୍ୟଗୁଡିକ ମାଗଣା ବିଦ୍ୟୁତ,ମାଗଣା ପାଣି,ମାଗଣା ପରିବହନ ସୁବିଧା,ବିଦ୍ୟୁତବିଲ୍ ଛାଡ୍ ଓ କୃଷି ଋଣ ଛାଡ୍ ଆଦିରେ ସବସିଡି ରାଶିକୁ ଅଧିକ ବ୍ୟୟ କରୁଛନ୍ତି । ସେଗୁଡିକ ମାଗଣା ସୁବିଧା ବୋଲି ବିଚାର କରାଯାଉଛି । ଏଭଳି ସ୍କିମ ଗୁଡିକରେ ଖରାପ ଦିଗ ହେଉଛି ଏହା ଦ୍ୱାରା ଘରୋଇ ନିର୍ଦେଶ ଆକୃଷ୍ଟ କରିବାରେ ଯେଉଁ କ୍ଷମତା ରହିଥାଏ ତାହା ହ୍ରାସପାଏ ।ମଜୁରି ହାର କମ୍ ରହିବା କାରଣରୁ ଶ୍ରମ ଶକ୍ତିର ଯୋଗଦାନ ମଧ୍ୟ କମିଯାଏ ।ଯଦି ନିର୍ଦ୍ଦିଷ୍ଟ ଭାବେ ଗରିବ ଲୋକମାନଙ୍କୁ ନଜରରେ ରଖି ମାଗଣା ସବସିଡି ଦିଆଯିବ ତେବେ ତାହାର ଲାବ ନିଶ୍ଚିତ ମିଳିବ ବୋଲି ଏହି ରିପୋର୍ଟରେ କୁହାଯାଇଛି । କିନ୍ତୁ ସେଥିରେ ବାଟମାରଣାକୁ ସର୍ବନିମ୍ନ ସ୍ତରରେ ରଖିବାକୁ ହେବ ବୋଲି କୁହାଯାଉଛି ।
ଆନ୍ଧ୍ରପ୍ରଦେଶ,ବିହାର,ହରିୟାଣା,ଝାଡଖଣ୍ଡ,କେରଳ,ମଧ୍ୟପ୍ରଦେଶ,ପଞାବ,ରାଜସ୍ଥାନ ଓପଶ୍ଚିମବଙ୍ଗ ଭଳି ରାଜ୍ୟ ୨୦୨୨-୨୩ରେ ମାଗଣା ସ୍କିମ ପାଇଁ ସେମାନଙ୍କ ମୋଟ ଘରୋଇ ଉତ୍ପାଦ ଜିଏସଡିପିର ୦.୧-୨.୭% ପର୍ଯ୍ୟନ୍ତ ଅର୍ଥ ବ୍ୟୟ କରିବେ ବୋଲି ସେମାନଙ୍କ ବଜେଟରେ ଘୋଷଣା କରିଛନ୍ତି ।ରିଜର୍ଭ ବ୍ୟାଙ୍କର ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଜୁନରେ ରାଜ୍ୟଗୁଡିକୁ ଆଉ କେନ୍ଦ୍ରରୁ ଜିଏସଟି କ୍ଷତିପୂରଣ ମିଳିବନାହିଁ ।ସେଭଳି ସ୍ଥିତିରେ ଯଦି ମାଗଣା ସ୍କିମ ଜରିଆରେ ବହୁ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଜାରି ରହିବ ତେବେ ତାହା ସରକାରଙ୍କ ରାଜକୋଷ ଉପରେ ଚାପ ପକାଇବ ।
ତେଣୁ ଦୀର୍ଘଦିନ ଲାଭ ପାଇବା ଲାଗି ନିଜ ବ୍ୟୟର ଢାଞ୍ଚାକୁ ବଦଳାଇବାକୁ ହେବ ।ସବସିଡି ପାଉଥିବା ହିତଧିକାରୀମାନଙ୍କୁ ଯଦି ବାସ୍ତବରେ ସଶକ୍ତ କରାଯାଇପାରିବ ତେବେ ଭବିଷ୍ୟତରେ ଏଭଳି ସୁବିଧାର ଆବଶ୍ୟକତା ରହିବ ନାହିଁ ।ତାହା ଉପରେ ରାଜ୍ୟ ଗୁଡିକ ଅଧିକ ଧ୍ୟାନ ଦେବା ଉଚିତ । ଯେଉଁମାନେ ଯୋଗ୍ୟ କେବଳ ସେମାନଙ୍କୁ ହିଁ ସବସିଡି ଦିଆଯିବ ତେବେ ରାଜସ୍ୱ ସଞ୍ଚୟ ହୋଇପାରିବ । ସେହି ରାଶିକୁ ସ୍ୱାସ୍ଥ୍ୟ ,ଶିକ୍ଷା,କୃଷି ଗବେଷଣା ଓ ବିକାଶ ,ଗ୍ରାମୀଣ ଭିତ୍ତିଭୂମି ଆଦି କାର୍ଯ୍ୟରେ ରାଜ୍ୟ ସରକାର ନିବେଶ କରିପାରିବେ ଯାହା କେବଳ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ନାହିଁ ବରଂ ଦାରିଦ୍ର୍ୟ ହ୍ରାସ କରିବାରେ ମଧ୍ୟ ସହାୟକ ହେବ ବୋଲି ରିପୋର୍ଟରେ କୁହାଯାଇଛି ।
୨୦୧୯-୨୦୨୦ରେ ରାଜ୍ୟଗୁଡିକରେ ସବସିଡି ବ୍ୟୟ ହ୍ରାସ ପାଇବା ପରେ ୨୦୨୦-୨୧ରେ ସେଥିରେ ୧୨.୯% ଓ ୨୦୨୧-୨୨ରେ ୧୧.୨ବୃଦ୍ଧି ଘଟିଛି ।ରାଜ୍ୟଗୁଡିକର ମୋଟ ବ୍ୟୟର ୮.୨%ରାଶି ସବସିଡି ବାବଦରେ ଖର୍ଚ୍ଚ ହେଉଥିବା ରିପୋର୍ଟରେ ଜଣାପଡିଛି ।
