ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର
ରାଞ୍ଚି: ଝାରଖଣ୍ଡ ଦୁମକା ନାବାଳିକା ହତ୍ୟା ମାମଲାରେ ରାଜ୍ୟ ସରକାର ଏସଆଇଟି ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ ଏସଆଇଟି ଟିମ ଗଠନ କରାଯାଇଛି। ସେପଟେ ଏଫଏସଏଲ ଟିମ ଘଟଣାସ୍ଥଳରେ ପହଞ୍ଚି ସୁରାକ ସଂଗ୍ରହ କରିଛି। ଝାଡଖଣ୍ଡ ହାଇକୋର୍ଟ ମାମଲାର ଶୁଣାଣି କରିଛନ୍ତି। ହତ୍ୟାକାଣ୍ଡର ସମସ୍ତ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ ଝାଡଖଣ୍ଡ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମୃତ ଅଙ୍କିତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇଦେବାକୁ ଦୁମକା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଶାହାରୁଖ ନାମକ ଯୁବକ ଅଙ୍କିତାଙ୍କୁ ବାରମ୍ବାର ପ୍ରେମ ନିବେଦନ କରି ହତାଶ ହେବା ପରେ ପ୍ରତିଶୋଧ ପରାୟଣ ହୋଇଥିଲା। ଅଗଷ୍ଟ ୨୩ ତାରିଖରେ ଅଙ୍କିତା ଶୋଇଥିବା ସମୟରେ ଜଣେ ସହଯୋଗୀଙ୍କ ସହ ମିଶି ପେଟ୍ରୋଲ ଢାଳି ଅଭିଯୁକ୍ତ ହତ୍ୟା କରିଥିଲା। ହସ୍ପିଟାଲରେ ୫ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଅଙ୍କିତା ପ୍ରାଣ ହରାଇଥିଲେ। ମୃତ୍ୟୁ ପୂର୍ବରୁ ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ ବୋଲି ପୁଲିସକୁ ବୟାନ ମାଧ୍ୟମରେ କହିଥିଲେ। ସେପଟେ ଅଭିଯୁକ୍ତ ଶାହାରୁଖଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତରେ ରଖାଯାଇଛି। ସେପଟେ ସମ୍ପୃକ୍ତ ଘଟଣାକୁ ନେଇ ଦୁମକାରେ ଅଶାନ୍ତ ପରିସ୍ଥିତି ଦେଖାଦେଇଛି। ମୃତକଙ୍କ ପରିବାର ଓ ଦୁମକା ଗ୍ରାମବାସୀଙ୍କ ପକ୍ଷରୁ ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରାଯାଇଛି। ସମ୍ପୃକ୍ତ ଘଟଣା ଲାଗି ବିଜେପି ହେମନ୍ତ ସୋରେନ ସରକାରଙ୍କୁ ଦାୟୀ କରିଛି।
