ବଲାଙ୍ଗିର: ଆଜି ଜଣେ ମା’ର ଆଖିରୁ ଲୁହ ବୋହୁଛି । ସେ ଆଜି କାନ୍ଦୁଛି । ନିଜର ପୁଅ ବୋହୂର ଅତ୍ୟାଚାର ସହି ନପାରି ପୂରା ଭାଙ୍ଗି ପଡିଛନ୍ତି ଏହି ମା’ଜଣଙ୍କ । ଏହା ଆଜି ନୁହେଁ ଦୀର୍ଘ ୧୦ ବର୍ଷ ହେବ ଅତ୍ୟାଚାର ସହି ଆସୁଛନ୍ତି । ଏବେ ଅତ୍ୟାଚାର ବଢିବାରୁ ବାଧ୍ୟ ହୋଇ ଥାନାର ଦ୍ୱାରସ୍ତ ହୋଇଛନ୍ତି ଅସହାୟ ମା’ଟି । ମାଡ ମାରି ମୁଁହ ଫୁଲାଇ ଦେଇଛନ୍ତି ପୁଅ ବୋହୂ । ଏପରି ନିର୍ଯାତନା ଦେଇଛନ୍ତି ଯାହା ସଭ୍ୟ ସମାଜ ପାଇଁ କଦାପି ଗ୍ରହଣୀୟ ନୁହେଁ ।
ମା’ଟିଏ ଯେ କେତେ ମାନସିକ ଓ ବ୍ରତ କରି ଥାଏ ପୁଅଟିଏ ପାଇଁ । ଯେତେବେଳେ ଘରେ ପୁଅଟିଏ ଜନ୍ନ ହୁଏ ଖୁସିରେ ଫାଟିପଡେ ଘର । ପୁଅଟିଏ ଜନ୍ନ ହେବା ବାପା ମା ଭାବନ୍ତି ପୁଅ ମୋର ଆଶାବାଡି ହେବ । ଆଉ ସେହି ପୁଅ ଯେତେବେଳେ ନପଚାରେ ବହୁ କଷ୍ଟ ଦାୟକ ହୋଇଥାଏ । ଏହା ଅଙ୍ଗେ ନିଭାଇଛନ୍ତି ବଲାଙ୍ଗିରର ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସୌଦାମିନୀ ବେହେରା । ନ୍ୟାୟ ପାଇବା ପାଇଁ ବଲାଙ୍ଗିର ଥାନାର ଦ୍ୱାରସ୍ତ ହୋଇଛନ୍ତି । କଣ କରିବେ ? କେଉଁଠି ରହିବେ ? ଜୀବନରେ ଖଟିଖଟି ପୁଅକୁ ମଣିଷ କଲେ । ଅବସର ପରେ ସବୁ ଟଙ୍କା ବି ଦେଲେ । ହେଲେ ପୁଅ ବୋହୂ ୧୦ ବର୍ଷ ହେବ ନିର୍ୟାତନା ନେଇଛନ୍ତି । ପୁଅ ବୋହୂ ମାଡ ମାରିଥିବା କିଛି ଫଟୋ ଦେଖାଇ ପୋଲିସକୁ ନ୍ୟାୟ ମାଗୁଛନ୍ତି । ମୋ ପୁଅ ଠାରୁ ମତେ ମୁକ୍ତି ଦିଅ । ଆଉ ନୁହେଁ କହିବାର ସୀମା ବି ଟପିଲା ଆଉ ସହିବାର ସୀମା ବି ଟପିଲା । ଆଉ ସହି ହେଉନାହିଁ ଯନ୍ତ୍ରଣା। ତେଣୁ ମୋତେ ଏଥିରୁ ମୁକ୍ତି ଦିଅ ଏମିତି କହି ପୋଲିସକୁ ନ୍ୟାୟ ଭିକ୍ଷା କରିଛନ୍ତି। ଦିନେ ସୌଦାମିନୀ ଶିକ୍ଷକତା କରି ହଜାର ହଜାର ପିଲାଙ୍କୁ ମଣିଷ କରିଥିଲେ । ହେଲେ ଆଜି ତାଙ୍କ ପୁଅ ଅମଣିଷ ହୋଇଥିବା ଅଭିଯୋଗ କରିଛନ୍ତି ସୌଦାମିନୀ ବେହେରା ।
ବଲାଙ୍ଗିର ଚନ୍ଦ୍ରଶେଖର ନଗରରେ ସୌଦାମିନୀ ବେହେରାଙ୍କ ଘର । ତାଙ୍କର ଦୁଇଟି ପୁଅ ଅଛନ୍ତି । ଗୋଟେ ପୁଅ ରାଜ୍ୟ ବାହାରେ କାମ କରୁଥିବା ବେଳେ ଆଉ ଗୋଟେ ପୁଅ ତାଙ୍କ ପାଖରେ ରହିଛି । ୧୦ ବର୍ଷ ପୁର୍ବରୁ ସ୍ୱାମୀ ଆରପାରିରେ । ହେଲେ ଘରଜମିକୁ ନେଇ ପାରିବାରିକ ବିବାଦ ଲାଗି ରହିଛି । ଆଉ ଏହି ବିବାଦ ସମୟର ଭିଡିଓ ବି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପୁଅ କହୁଛନ୍ତି ସେପରି ନିର୍ୟ୍ୟାତନା ହୋଇନାହିଁ । ମୁଁ କାହିଁକି ନିର୍ୟାତନା ଦେବି? ମୋ ଉପରେ ବି ଅନ୍ୟାୟ ହୋଇଛି ।