(ଭୁବନେଶ୍ୱର) : ରାଜଧାନୀ ଆଗାମୀ ତିନି ଘଣ୍ଟାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହେବାର ଆଶଙ୍କା ଅଛି । ଏ ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ସେହିପରି ଭଦ୍ରକ, କୋରାପୁଟ, ଅନଗୁଳ, ଢେଙ୍କାନାଳ, ମାଲକାନଗିରି, ଗଞ୍ଜାମ, କେନ୍ଦ୍ରାପଡା, ଜଗତସିଂହପୁର ଆଦି ଜିଲ୍ଲାକୁ ଆସନ୍ତା ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏ ସବୁ ଅଞ୍ଚଳରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କିଛି ଅଞ୍ଚଳରେ ଘଡଘଡି ବିଜୁଳି ମାରିପାରେ । ତେଣୁ ଲୋକଙ୍କୁ ଏହି ସମୟ ମଧ୍ୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।
ଗୁରୁବାର ମଧ୍ୟାହ୍ନରୁ ଅପରାହ୍ନ ୩ ଟା ଭିତରେ ଟ୍ୱିନ ସିଟି ଭୁବନେଶ୍ୱର, କଟକ ସମେତ ୧୫ ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡଘଡି ସହ ବର୍ଷା ହେବା ସମ୍ଭବନା ରହିଛି । ଏହି ସବୁ ଅଞ୍ଚଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି । ସୁନ୍ଦରଗଡ ଝାରସୁଗୁଡା, ସମ୍ବଲପୁର, ବରଗଡ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, କଟକ ଏବଂ ସୋନପୁରରେ ପ୍ରବଳ ବର୍ଷା ଆକଳନ କରାଯାଇଛି ।
