(ନୟାଗଡ଼) : ଚାହୁଁ ଚାହୁଁ ଜଳିଗଲା ୨କୋଟିରୁ ଅଧିକ ଟଙ୍କାର ସାମଗ୍ରୀ । ନୟାଗଡ ସହରର ଖଣ୍ଡପଡା ରୋଡରେ ଥିବା ଶ୍ରୀ ଶ୍ଯାମ୍ ଗାର୍ମେଣ୍ଟ ସୋରୁମରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଘଟଣାସ୍ଥଳରେ ନିଆଁ ଲିଭାଇବାରେ ୪ଟି ଦମକଳ ଏବଂ ୩୦ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରିଥିବା ବେଳେ ୨କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡିଯାଇଥିବା ମାଲିକ ସୂଚନା ଦେଇଛନ୍ତି ।
ସୂଚନାନୁଯାୟୀ , ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ ହେଉଛି । ସବୁଦିନପରି ଗତକାଲି ରାତି ୧୦ଟାରେ ଦୋକାନ ମାଲିକ ଏବଂ କର୍ମଚାରୀ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ରାତି ପ୍ରାୟ ୩ଟା ସମୟରେ ସ୍ଥାନୀୟ ଲୋକମାନେ ଦୋକାନରୁ ଧୁଆଁ ବାହାରୁଥିବା ଦେଖି ମାଲିକଙ୍କୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବାହିନୀ ଖବରପାଇ ଘଟଣାସ୍ଥଳକୁ ଆସିଥିଲେ । ତେବେ ଦୋକାନ ସଂପୂର୍ଣ୍ଣ ବନ୍ଦ ଥିବାରୁ ନିଆଁ ଆୟତ କରିବା କଷ୍ଟକର ହୋଇପଡିଥିଲା । ସୋରୁମର ଆକାର ବଡ ହୋଇଥିବାରୁ ଏବଂ ଭିତରୁ ଧୁଆଁ ଯୋରରେ ବାହାରୁଥିବାରୁ ନିଆଁ ଆୟତ କରିବାକୁ ୪ଘଣ୍ଟାରୁ ଅଧିକ ସମୟ ଲାଗିଥିଲା ।