ପୁରୀ: ସରିଛି ହେରାପଞ୍ଚମୀ ନୀତି। ଅଭିମାନୀନି ମା’ ଲକ୍ଷ୍ମୀ ମହାପ୍ରଭୁଙ୍କ ଦର୍ଶନ ନପାଇ ରାଗରେ ନନ୍ଦିଘୋଷ ରଥକୁ ଭାଙ୍ଗି ଶ୍ରୀନଅରକୁ ଫେରିଯାଇଛନ୍ତି । ଆଜି ମଧ୍ୟାହ୍ନ ସାଢ଼େ ୧୨ଟାରେ ଆଜ୍ଞାମାଳ ଲାଗିପରେ ୩ ରଥ ନେବେ ଦକ୍ଷିଣ ମୋଡ । ହେରାପଞ୍ଚମୀ ଉପଲକ୍ଷେ ଗୁରୁବାର ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ମା’ ଲକ୍ଷ୍ମୀ ସାଆନ୍ତାଣିଙ୍କୁ ସେବାୟତମାନେ ବିମାନରେ ବସାଇ ବଡ଼ଦାଣ୍ଡ ଦେଇ ଘଣ୍ଟ, ଛତା ଓ ପଟୁଆରରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥିଲେ । ଶରଧାବାଲିରେ ପହଁଚିବା ପରେ ନନ୍ଦିଘୋଷ ରଥ ତଳେ ହେରାପଞ୍ଚମି ନୀତି ଆରମ୍ଭ ହୋଇଥଲା। ପରେ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ବାର ଦେଇ ମା’ ଲକ୍ଷ୍ମୀ ଜୟ, ବିଜୟ ଦ୍ବାର ନିକଟରେ ପହଁଚିଥିଲେ । ଏହି ସମୟରେ ସଂଧ୍ୟାଧୂପ ଚାଲିଥିବା ବେଳେ ଜୟ ବିଜୟ ଦ୍ବାର ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ଆସିବା ପରେ ଦୁଇ ଦ୍ବାରକୁ ବନ୍ଦ କରିଦିଆଯାଇଥିଲା । ଯାହା ମାଙ୍କୁ ଘୋର ଅପମାନ ଦେଇଥିଲା, ରାଗ ଜର୍ଜରିତ ହୋଇ ମା ନାକଚଣା ଦ୍ବାର ଦେଇ ବାହାରିବା ସହ ନନ୍ଦିଘୋଷ ରଥର କିଛି ଅଂଶକୁ ଭାଙ୍ଗିଦେଇଥିଲେ । ପରେ ସେବାୟତମାନେ ମାଙ୍କୁ ହେରାଗୌରୀ ସାହି ଦେଇ ଶ୍ରୀମନ୍ଦିରକୁ ଫେରି ଆସିଥିଲେ । ବିଳମ୍ବିତ ରାତିରେ ପୁନଃର୍ବାର ସିଂହଦ୍ବାର ଦେଇ ମା ଲକ୍ଷ୍ମୀ ଶ୍ରୀନ୍ଦିରକୁ ପ୍ରବେଶ କରିଥିଲେ ।
previous post
next post
