ରାୟଗଡ଼ା: ମା’ ମଝିଘରିଆଣୀଙ୍କ ଦାନ ବାକ୍ସ ଗଣତି ଶେଷ ହୋଇଛି । ୯୯ ଲକ୍ଷ ୧୫ ହଜାର ୪୨୨ ଟଙ୍କା ଦାନ ବାକ୍ସରୁ ମିଳିଛି । ଏହା ସହ ୫୩ ଗ୍ରାମ ସୁନା, ୨୩୯୨ ଗ୍ରାମ ରୁପା ଅଳଙ୍କାର ଓ ୩୩ଟି ବିଦେଶୀ ମୁଦ୍ରା ମିଳିଛି । ଗତ ୨୪ ତାରିଖ ଦିନ ରାୟଗଡ଼ାର ଅଧିଷ୍ଠାତ୍ରୀ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଖୋଲାଯାଇଥିଲା ।୩ମାସ ପରେ ହୁଣ୍ଡି ଖୋଲିଥିବା ବେଳେ ଏଥିରୁ ବାହାରିଥିଲା ପୁଳା ପୁଳା ଟଙ୍କା । ୨୦୦ ମହିଳା ଟଙ୍କା ଗଣତିରେ ଲାଗିଥିଲେ । ଦେବୋତ୍ତର ବିଭାଗ ଓ ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ଗଣତି କରାଯାଇଥିଲା ।
ପୋଲିସର କଡା ସୁରକ୍ଷା ବଳୟ ଭିତରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ୯ଟି ଦାନ ହୁଣ୍ଡି ଖୋଲାଯାଇ ଗଣତି କରାଯାଇଛି । ହୁଣ୍ଡିରୁ ଦାନ ଅର୍ଥ ଗଣତି କାର୍ଯ୍ୟରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା , ସେଚ୍ଛାସେବୀ ଓ କିଛି ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯାଇଥିଲା। ଚଳିତ ଥର ୭୦ ରୁ ୮୦ ଲକ୍ଷ ଟଙ୍କା ମିଳିବ ବୋଲି ମନ୍ଦିର କମିଟି ଆଶା ରଖିଥିଲେ। ଗତ ୩ ମାସ ତଳେ ଅର୍ଥାତ ମାର୍ଚ୍ଚ ୧୮ ତାରିଖ ଦିନ ମନ୍ଦିର ପରିସରରେ ଥିବା ସମୁଦାୟ ୯ଟି ଦାନବାକ୍ସରୁ ନଗଦ ଆକାରରେ ୮୯ ଲକ୍ଷ ୭୨ ହଜାର ୨୨୫ ଟଙ୍କା, ୬୨ ଗ୍ରାମ ସୁନା, ୨ କେଜି ୩୦୦ ଗ୍ରାମ ରୁପା ଓ ବିଦେଶୀ ମୁଦ୍ରା ୬୬ଟା, ଅଚଳ ୨ହଜାର ଟଙ୍କା, ୫୦୦ ଟଙ୍କା ମିଳିଥିଲା । ଏହି ଅର୍ଥକୁ ୟୁନିୟନ ବ୍ୟାଙ୍କ ମୁଖ୍ୟ ଶାଖାରେ ଜମା କରାଯିବ । ଏହି ଅର୍ଥରୁ ମିଳୁଥିବା ସୁଧରେ ମନ୍ଦିରର ପାରିପାଶ୍ୱିର୍କ ଉନ୍ନତି ସହ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ଖର୍ଚ୍ଚ କରାଯିବ ।